କେନ୍ଦୁଝର: ଖଣିଜ ସଂପଦ ଭରା ଜିଲ୍ଲାମାନଙ୍କରେ ସବୁଠାରୁ ଦରିଦ୍ର ଓ ଅଭାବୀ ଲୋକ ବସବାସ କରୁଛନ୍ତି । ଖଣିଜ ସମ୍ପଦଭରା ଜିଲ୍ଲାମାନଙ୍କରେ ବସବାସ କରୁଥିବା ଅଧିବାସୀମାନଙ୍କୁ ସାମାଜିକ, ଅର୍ଥନୈତିକ ତଥା ପରିବେଶଗତ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଗଠନ କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଖଣି ଦ୍ବାରା ପ୍ରଭାବିତ ଲୋକ ଓ ଅଞ୍ଚଳର ହିତ ଓ ସ୍ଵାର୍ଥ ରକ୍ଷା କରିବା ।
୨୦୧୫ ମସିହା ପୂର୍ବରୁ ଲିଜ ଦିଆ ଯାଇଥିବା ଖଣିଗୁଡିକର ରୟାଲଟି ମୁଲ୍ୟର ୩୦% ଅର୍ଥ ଓ ତା’ପରେ ଦିଆ ଯାଇଥିବା ଲିଜର ୧୦% ଅର୍ଥ ଏହି ପାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଅଛି । ଓଡିଶାରେ ଜୁନ ମାସ ଅବଧି ସୁଦ୍ଧା ୬୦୧୪.୪୬ କୋଟି ଟଙ୍କା ଜମା ହୋଇଥିବା ବେଳେ କେନ୍ଦୁଝରରେ ସର୍ବାଧିକ ୩୦୦୦ କୋଟି ଟଙ୍କା ଜମା ହୋଇଛି । ଏହି ଟଙ୍କା ମଧ୍ୟରୁ ଜିଲ୍ଲାରେ ୬୩୦ କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା ବ୍ୟୟ ହୋଇଛି ।
ଏହାର କିପରି ସଠିକ ବିଭାଗରେ ବିନିଯୋଗ ହେବ ସେନେଇ ଶୁକ୍ରବାର ଦିନ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ପ୍ରାରମ୍ଭରେ ଜିଲ୍ଲାପାଳ ଆଶିଷ ଠାକରେ କେନ୍ଦୁଝରରେ ଡିଏମଏଫର କିପରି ବିନିଯୋଗ ହେଉଛି ସେ ନେଇ ସୂଚନା ପ୍ରଦାନ କରିଥିଲେ ।
ସ୍ଥାନୀୟ ନଗର ଭବନଠାରେ ସ୍ବେଚ୍ଛାସେବୀ ସଂଗଠନ ‘ଭୂମି’ ଦ୍ବାରା ଏହି ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଜିଲ୍ଲା ତଥା ରାଜ୍ୟର ବହୁ ସୁନାମଧନ୍ୟ ବୁଦ୍ଧିଜୀବୀ ଯୋଗ ଦେଇ ଡିଏମଏଫର କିପରି ସଦୁପଯୋଗ ହୋଇପାରିବ ସେନେଇ ମତବ୍ୟକ୍ତ କରିଥିଲେ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ