କେନ୍ଦୁଝର: ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ଉତ୍କର୍ଷତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଗଲା ଡିଏମଏଫ ଛାତ୍ର ବୃତ୍ତି । ଚଳିତ ବର୍ଷରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ଭାବେ ଏହି ଛାତ୍ରବୃତ୍ତି ଆରମ୍ଭ କରାଯାଇଛି ।
ଓଡିଶା ସରକାରଙ୍କ ଦ୍ବାରା ପରିଚାଳିତ ମାଧ୍ୟମିକ ଶିକ୍ଷା ପରିଷଦର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଘୋଷିତ ହୋଇଯାଇଛି । ଏହି ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ୨୧୬୧୯ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୭୬ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି । ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରେ ୨୭ ଜଣ ଛାତ୍ରଛାତ୍ରୀ ୯୦ ଶତକଡ଼ାରୁ ଉର୍ଦ୍ଧ୍ବ ନମ୍ବର ରଖି A1 ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ୧୫ ଜଣ ଛାତ୍ରଛାତ୍ରୀ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଡୁଥିବା ଛାତ୍ରଛାତ୍ରୀ ଅଛନ୍ତି । ଏହି A1 ପାଇଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୃତ୍ତି ପ୍ରଦାନ କରାଯାଇଛି । ସମଗ୍ର ରାଜ୍ୟରେ ନୂତନ ଭାବେ ପ୍ରୟାସ ଆରମ୍ଭ କରି ଜିଲ୍ଲା ଖଣିଜ ପାଣ୍ଠିରୁ ଡିଏମଏଫ ବୃତ୍ତି ଏହି କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ।
କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା ଏହି ବୃତ୍ତି ଯୋଜନାରେ ଜିଲ୍ଲାର ୧୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଛି । ଚଳିତବର୍ଷ ଠାରୁ ୧୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଛି । ଆଜିର ଏହି ସ୍ବତନ୍ତ୍ର ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେଇ ବୃତ୍ତି ଗ୍ରହଣ କରିବା ପରେ ଛାତ୍ରଛାତ୍ରୀମାନେ ବହୁ ଖୁସି ହୋଇଛନ୍ତି । ଏହି ବୃତ୍ତି ସେମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବାରେ ସହାୟକ ହେବ ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ଏହା ସହ ଚଳିତବର୍ଷ ଠାରୁ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ମାଗଣା ପୋଷାକ, ପାଠ୍ୟପୁସ୍ତକ ଓ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ