କେନ୍ଦୁଝର: ଦିବ୍ୟାଙ୍ଗ ହୁଇଲ ଚେୟାର କ୍ରିକେଟ ଆସୋସିଏସନ ପକ୍ଷରୁ କଳିଙ୍ଗ ଟ୍ରଫି ୨୦୨୩ କେନ୍ଦୁଝର ଜିଲ୍ଲାରେ ଆୟୋଜନ କରାଯାଇଛି । ଓଡ଼ିଶାରେ ଦିବ୍ୟାଙ୍ଗ କ୍ରିକେଟ ଆୟୋଜନ ପ୍ରଥମ ଥର ହେଉଥିବା ବେଳେ ଏଥିରେ ଚାରୋଟି ରାଜ୍ୟର ଖେଳାଳି ଭାଗ ନେଇଛନ୍ତି । ସୋମବାର କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଛନ୍ତି ।
ଦିବ୍ୟାଙ୍ଗ ହେଲେ ବି ସେମାନେ ସକ୍ଷମ । ସେମାନେ ସାଧାରଣ ଲୋକଙ୍କ ପରି ଖେଳି ବୁଲି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ନିଜର ଏହି ସ୍ବତନ୍ତ୍ର ପରିଚୟ ଯୋଗୁଁ ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଏମାନେ କ୍ରିକେଟ ଖେଳିବା ପାଇଁ ଏକତ୍ରିତ ହୋଇଛନ୍ତି । ଏହି କଳିଙ୍ଗ ଟ୍ରଫି ୨୦୨୩ କେନ୍ଦୁଝରରେ ଓଡିଶା ସମେତ ଦିଲ୍ଲୀ, କେରଳ ଓ ଝାରଖଣ୍ଡର ଦିବ୍ୟାଙ୍ଗ କ୍ରିକେଟରଙ୍କୁ ନେଇ ୩ ଦିନ ଧରି ଖେଳାଯିବ । ଆଜି ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ ହୋଇଥିବା ବେଳେ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରାରେ ୪ଟି ରାଜ୍ୟର ଦିବ୍ୟାଙ୍ଗ କ୍ରିକେଟରମାନେ ଟ୍ରଫି ଧରି ସହର ପରିକ୍ରମା କରିଥିଲେ ।
ଏହି କଳିଙ୍ଗ କପ ୨୦୨୩ ଟୁର୍ଣ୍ଣାମେଣ୍ଟକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଶୁଭାରମ୍ଭ କରିଥିଲେ । ଦିବ୍ୟାଙ୍ଗ ହୋଇ ମଧ୍ୟ ଖେଳାଳିଙ୍କ ମଧ୍ୟରେ ଥିବା ଉତ୍ସାହ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ପ୍ରକାଶ କରିଛନ୍ତି କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ । ଆଜି ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଓଡିଶା ଓ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ହେଇଛି । ଦିବ୍ୟାଙ୍ଗଙ୍କ ଏହି କ୍ରିକେଟ ଖେଳ ଦେଖିବା ପାଇଁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଇଟିଭି ଭାରତ, କେନ୍ଦୁଝର