କେନ୍ଦୁଝର: ସରିବାକୁ ବସିଲାଣି ଶୀତ ଋତୁ । ହେଲେ ନା କମୁଛି ଶୀତ ନା କୁହୁଡି । କେନ୍ଦୁଝର ଜିଲ୍ଲାରେ ଏବେ ବି କଲବଲ କରୁଛି ଘନ କୁହୁଡ଼ି । ଫଳରେ ଜନ ଜୀବନକୁ ଅସ୍ତବ୍ୟସ୍ତ ହୋଇ ପଡିଛି। ଗତ ଦୁଇ ଦିନ ହେବ ଜିଲ୍ଲାର ବିଭିନ୍ନ ସ୍ଥାନରେ ସକାଳୁ ଘନ କୁହୁଡି ଦେଖିବାକୁ ମିଳୁଛି । କିନ୍ତୁ ଆଜି କେନ୍ଦୁଝର ସହରରେ ଏହି କୁହୁଡି ବ୍ୟାପକ ହୋଇଛି। କୁହୁଡି ସାଙ୍ଗକୁ ଶୀତ ସାଧାରଣ ଲୋକଙ୍କ ଜୀବନ ଯାପନରେ ବାଧା ସୃଷ୍ଟି କରିଛି ।
ଏହି କୁହୁଡି ଆହୁରି ତିନି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୁହୁଡି ଓ ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାଯ୍ୟ ନେଉଥିବା ମଧ୍ୟ ଦେଖାଦେଇଛି । ଯାନବାହନ ଚଳାଚଳ ବ୍ୟାହତ ହୋଇଥିବା ବେଳେ କାମ ଧନ୍ଦା ମଧ୍ୟ ଠପ୍ ହୋଇପଡିଛି । ଯେପରି ଲାଗୁଛି ଶୀତ ଋତୁ କେନ୍ଦୁଝରର ଅଭିଛେଦ୍ୟ ଅଙ୍ଗ ଭଳି ଲାଗି ରହିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ