କେନ୍ଦୁଝର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦମ୍ପତିଙ୍କ ଜୀବନ । ତେବେ ସେମାନଙ୍କର ୫ ବର୍ଷର ଶିଶୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ଏଭଳି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଅସେଇଁକଳା ପଞ୍ଚାୟତରେ । ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଯୋଡ଼ା ପୋଲିସ ।
ସୂଚନା ଅନୁସାରେ ଜାମୁକୁଣ୍ଡିଆ ଗ୍ରାମର ମାନ୍ଦୁରୁ ମୁଣ୍ଡାଙ୍କ ଦୁଆର କବାଟରେ ଗତରାତି (ମଙ୍ଗଳବାର ରାତି)ରେ କୌଣସି କାରଣରୁ ବିଦ୍ୟୁତ ତାର ଲାଗିଯାଇଥିଲା । ତେବେ ଏହା ପରିବାରର କେହି ଜାଣି ନଥିଲେ । ଆଜି (ବୁଧବାର) ସକାଳ ସମୟରେ ମାନ୍ଦୁରୁ କବାଟ ଖୋଲିବାକୁ ଯାଇଥିବା ବେଳେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଏହା ଦେଖି ତାଙ୍କ ସ୍ତ୍ରୀ ରାଇମଣୀ ମୁଣ୍ଡା ସ୍ବାମୀକୁ ଛଡ଼ାଇବାକୁ ଯାଇ ମଧ୍ୟ ସମାନ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଉଭୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ଘରେ ଥିବା ସେମାନଙ୍କର ୫ ବର୍ଷର ଶିଶୁଟି ବର୍ତ୍ତି ଯାଇଛି ।
ଇଟିଭି ଭାରତ, କେନ୍ଦୁଝର