କେନ୍ଦୁଝର: ପୁନରୁଦ୍ଧାର କାମରେ ଦୁର୍ନୀତି ଅଭିଯୋଗ । ପାଣି ମାଡି ଚାଷ ଜମି ନଷ୍ଟ । କେନ୍ଦୁଝର ଜିଲ୍ଲାରେ ବନ୍ଧ ପୁନରୁଦ୍ଧାର କାମରେ ଦୁର୍ନୀତି ଅଭିଯୋଗ। ଚାଷ ଜମିରେ ବନ୍ୟା ପାଣି ମାଡି ଯିବାରୁ ବହୁପରିମାଣରେ ଚାଷ ଜମି ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ ।
ପାଟଣା ବ୍ଲକ ଅନ୍ତର୍ଗତ ଖୁଇଟାଙ୍ଗିରୀର ବଡବନ୍ଧ ପାଖାପାଖି ୧୨ ଏକର ଜମି ପରିମିତ ରହିଛି । ଏହାର ଦୁଇ ପାର୍ଶ୍ବରେ କେନାଲ ଅଛି । ଖୁରେଇଟାଙ୍ଗିରୀ , ନୂଆଗାଁ ଓ ଡଳଙ୍ଗ ଗ୍ରାମର ପାଖାପାଖି ୫୦୦ ରୁ ଉର୍ଦ୍ଧ୍ବ ଚାଷୀ ଏହି ବନ୍ଧ ଉପରେ ନିର୍ଭରଶୀଳ । ଏହି ବନ୍ଧଟି କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ରହିଛି । ମାତ୍ର ହଠାତ ଶାସକ ଦଳ ଠିକାଦାର ଓ ପଞ୍ଚାୟତ ରାଜ ବିଭାଗର କୃଷି , କୃଷକଙ୍କ ହିତ କଥା ମନେ ପଡ଼ିଯିବାରୁ ଗତ ଜାନୁୟାରୀ ମାସରେ ମଝି ବନ୍ଧ ଭାଙ୍ଗି ଘାଇ କରି ମାଛ ମାରିବା ସହ ବିକ୍ରି ମଧ୍ୟ କରିଥିଲେ ।
ବନ୍ଧର ପୁନରୁଦ୍ଧାର କରି ସହ ପଙ୍କ ଉଦ୍ଧାର ଏବଂ ଚାଷୀଙ୍କ ଉନ୍ନତି କରିବୁ ବୋଲି ନର୍ଭରୁ ପ୍ରତିଶୃତି ଦେଇଥିଲେ । ଏହି କଥାକୁ ଚାଷୀ ବିଶ୍ବାସ କରିଗଲେ । ଜାନୁୟାରୀରୁ ଏପ୍ରିଲ ପର୍ଯ୍ୟନ୍ତ ଜଗିଲେ, ବାର ଦୁଆର ହେଲେ , କିଛି ହେଲା ନାହିଁ । କ୍ଷୁଦ୍ର ଜଳସେଚନ ବିଭାଗରେ ମଧ୍ୟ ଦରଖାସ୍ତ ଦିଆଯିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ ଦିଆଯାଇଥିଲା । ପଞ୍ଚାୟତ କର୍ତ୍ତୁପକ୍ଷ ମଧ୍ୟ ବନ୍ଧ ମରାମତି ଶୀଘ୍ର କରିବା ନେଇ ପ୍ରତିଶୃତି ଦେଇଥିଲେ । ଆମ ଗାଁ ଆମ ବିକାଶ ଯୋଜନାରେ ଏ ବନ୍ଧର ବିକାଶ ହେବ ବୋଲି ଚାଷୀ ମାନେ ଆଶ୍ବାସନା ପାଇ ଖୁସି ହୋଇ ଗଲେ । ଏ ବନ୍ଧ ଲାଗି ସାନବନ୍ଧର ମଧ୍ୟ କାମ ଚାଲିଲା । ବଡ଼ ବନ୍ଧରେ ବହୁ ଡେରିରେ କାମ ଆରମ୍ଭ ହେଲା କାମ କେତେ ଟଙ୍କାର ହେବ କେହି ଜାଣି ପାରିଲେ ନାହିଁ । ଦୁଇ ବନ୍ଧ କାର୍ଯ୍ୟରେ କାମର କାର୍ଯ୍ୟ ଫଳକ ଲାଗିଲା ନାହିଁ । ଠିକାଦାର , କନିଷ୍ଠ ଯନ୍ତ୍ରୀକୁ ହାତରେ ଚାଷୀଙ୍କ ଭାଗ୍ୟର ଡୋରୀ ବନ୍ଧା ହେଲା ଅନ୍ୟ ମାନେ ଧରା ଦେଲେ ନାହିଁ । ବାରମ୍ବାର କହିଲେ ମଧ୍ୟ କର୍ଣ୍ଣପାତ କଲେ ନାହିଁ । ୫ ମାସରେ କିଛି ହେଲା ନାହିଁ ତାପରେ ଆସିଲା ‘ୟସ' ବାତ୍ୟା । ସବୁ ଧୋଇ ହୋଇଗଲା । ଉର୍ବର ଚାଷ ଜମିରେ ବାଲି, ମାଟି ଚରିଗଲା । ଆଜି ଚାଷୀଙ୍କ ଭାଗ୍ୟ ଅନ୍ଧାରରେ ।
କ୍ଷୁଦ୍ର ଜଳ ସେଚନ ବିଭାଗ, ପଞ୍ଚାୟତ ରାଜ ବିଭାଗର ସମନ୍ବୟର ଅଭାବ ସହ ଠିକାଦାର ପ୍ରୀତି , ଲୋଭଖୋର୍ ମାନବୃତି ପାଇଁ ଚାଷୀଙ୍କ ଏହି ଦୁର୍ଦ୍ଦଶା ହୋଇଛି । କ୍ଷତିଗ୍ରସ୍ତ ଚାଷୀ ଚାଷ ଜମିକୁ ମରାମତି କରିବାକୁ ଦାବି କରିଛନ୍ତି । ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖିରେଇଟାଙ୍ଗିରୀ ଅଞ୍ଚଳର ଏହି ଚାଷୀମାନଙ୍କର ଦୁର୍ଦ୍ଦଶା ପାଇଁ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବାକୁ ବିଜେପି କୃଷକ ମୋର୍ଚ୍ଚା ଦାବି କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ