ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ପଞ୍ଚାୟତ । ବହୁ ବାଧାବିଘ୍ନ ପରେ ଏଥର ଜମିରେ ସୁନାର ଫସଲ ଫଳିଥିଲା । ଭଲ ଅମଳର ଆଶା ମଧ୍ୟ କରିଥିଲେ ଚାଷୀ । ହେଲେ, ଧାନ ଅମଳ ସମୟରେ ଚାଷୀ ମୁଣ୍ଡରେ ପଡିଛି ଚଡକ । ବ୍ୟାପକ ଅଞ୍ଚଳରେ ଜମିରେ ମାଡିଯାଇଛି ଚକଡା ପୋକ । ଏଥିଯୋଗୁଁ ଧାନ ଅମଳ ବହୁ ପରିମାଣରେ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ଋଣ ପରିଶୋଧ କିପରି କରିବେ, ସେନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।
କେବଳ କେଶଦୁରାପାଳ ଗାଁ ନୁହେଁ ନାରଙ୍ଗପୁର, ବରିପାଳ, ବାଲିପାଳ ଓ ମଙ୍ଗଳପୁର ଗ୍ରାମରେ ଅନେକ ଚାଷ ଜମିରେ ଚକଡା ପୋକ ଲାଗିଥିବା ଅଭିଯୋଗ କରିଛନ୍ତି ଚାଷୀ । ଚକଡା ପୋକ ଧରିଥିବା ବେଳେ କୀଟନାଶକ ପ୍ରୟୋଗ କରି କୌଣସି ଫଳ ହୋଇନଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ କୃଷି ବିଭାଗର ଅଧିକାରୀଙ୍କ ମଧ୍ୟ ଦେଖାନାହିଁ । ଖରା, ବର୍ଷା, ଶୀତରେ ଝାଳବୁହା ପରିଶ୍ରମ । କ୍ଷେତରେ ଦିନରାତି ଖଟୁଛି ଚାଷୀ ।
ଏବେ ଥୋଡ଼ ବାହାରିଲା ବେଳକୁ ଆଉ କ୍ଷଣିକେ ଚକଡା ପୋକ ଉଜାଡି ଦେଲା ସୁନାର ଫସଲ । ଯାହାକି ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଧାନ ଅମଳ ଆଉ ସମ୍ଭବ ନୁହେଁ ବୋଲି ଚାଷୀ କହିଛନ୍ତି, ପୂର୍ବରୁ ଚାଷୀମାନେ ଏଥିରୁ ବର୍ତ୍ତିବା ପାଇଁ କୃଷି ବିଭାଗର ପରାମର୍ଶ କ୍ରମେ ଔଷଧ ପକାଇଥିଲେ ମଧ୍ୟ କୌଣସି ଲାଭ ମିଳିଲା ନାହିଁ । କୃଷି ବିଭାଗ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ