ଆନନ୍ଦପୁର: ଫସଲ ଅମଳ ସମୟରେ ଚାଷୀ ମୁଣ୍ଡରେ ପଡିଛି ଚଡକ । ଚକଡା ପୋକ ଲାଗି ଫସଲ ସମ୍ପୂର୍ଣ୍ଣ ଉଜୁଡି ଯିବାକୁ ବସିଛି । ଏବର୍ଷ ପ୍ରଥମେ ବିଳମ୍ବିତ ଓ ପରେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ଅନିଶ୍ଚିତତା ମଧ୍ୟରେ ଚାଷ କାର୍ଯ୍ୟ କରିଥିଲେ । ଶେଷରେ ଭଲ ଫସଲ ଅମଳ ପାଇଁ ଆଶା ରଖିଥିଲା ଚାଷୀ । ହେଲେ, ଏବେ ସବୁ ଆଶା ମଉଳି ଯାଇଛି ।
ଚକଡା ପୋକ ଚକଟି ଦେଲା ଚାଷ: ଚିନ୍ତାରେ ଚାଷୀ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଖାଲପାଳ ଗାଁ । ଜମିରେ ଧାନ ଲହଡି ମାରୁଥିବା ବେଳେ, ଚକଡା ପୋକ ଲାଗି ଫସନ ନଷ୍ଟ ହୋଇ ଯାଉଛି । ବର୍ଷା ପାଇଁ ବିଳମ୍ବରେ ଚାଷ ଆରମ୍ଭ କରିଥିବା ଚାଷୀ ଫସଲ ପାଇଁ ଧାର କରଜ କରି ଜମିରେ ଚାଷ କରିଥିଲେ । ଆଶା ଥିଲା କଷ୍ଟେମଷ୍ଟେ ଏବର୍ଷ କିଛି ରୋଜଗାର କରିବେ । ହେଲେ, ଫସଲ ଅମଳ ସମୟରେ ଚକଡା ପୋକ ଲାଗିବାରୁ ଭଲ ଅମଳ ଆଶା ମଉଳି ଯାଇଛି । ଗାଁର 2 ଶହରୁ ଉର୍ଦ୍ଧ୍ବ ଚାଷୀଙ୍କର 3 ଶହ ହେକ୍ଟର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି ।ଜଳସେଚିତ ଜମି ହୋଇଥିବାରୁ ଚାଷୀ ଭଲ ଅମଳ ପାଇଁ ଯଥାସମ୍ଭବ ସାର, କୀଟନାଶକ ପ୍ରୟୋଗ କରିଥିଲେ । ହେଲେ, ଶେଷରେ ଚାଷୀଙ୍କର ସବୁ ଆଶା ମଉଳି ଯାଇଛି । ଜଳବାୟୁରେ ପରିବର୍ତ୍ତନ, ଦିନ ଓ ରାତିର ତାପମାତ୍ରାରେ ତାରତମ୍ୟ, ଘଞ୍ଚ ଚାଷଜମି ସହ ଅଧିକ ଖତ, ସାର ପ୍ରୟୋଗ ଯୋଗୁଁ ପୋକ ଲାଗୁଥିବା କହିଛନ୍ତି କୃଷି ଅଧିକାରୀ ।
ପ୍ରଥମେ ବିଳମ୍ବିତ ଓ ପରେ ଅଦିନିଆ ବର୍ଷା ସହ ଅମଳ ସମୟରେ ଚକଡ଼ା ପୋକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । କ୍ଷୟକ୍ଷତିର ଆକଳନ କରି ଚାଷୀମାନଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ