ଝାରସୁଗୁଡ଼ା: ଛଅ ଦଫା ଦାବି ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି କେନ୍ଦୁପତ୍ର ଶ୍ରମିକ । ରାଜ୍ୟର ୨୧ଟି ଜିଲ୍ଲାରେ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥକୁ କେନ୍ଦୁପତ୍ର ତୋଳାଳି ଓ ସିଜିନାଲ୍ କର୍ମଚାରୀ ଅବରୋଧ କରିଛନ୍ତି। ଆଜି ଝାରସୁଗୁଡା ପ୍ରସନ୍ନ ପଣ୍ଡା ଛକରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆହ୍ବାନ କ୍ରମେ ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରିଥିଲେ କେନ୍ଦୁପତ୍ର ଶ୍ରମିକ। ଯାହା ଫଳରେ ଦୀର୍ଘ ସମୟ ଧରି ରାଜରାସ୍ତା ପାର୍ଶ୍ବରେ ହଜାର ହଜାର ଗାଡି ଅଟକି ରହିଥିଲା ।
କେନ୍ଦୁପତ୍ର ସିଜିନାଲ କର୍ମଚାରୀ ଓ ୱାଚର୍ମାନଙ୍କ ଦରମା ବୃଦ୍ଧି, ତ୍ରୁଟିପୂର୍ଣ୍ଣ ବିକ୍ରି ନୀତି, ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ସାମାଜିକ ସୁରକ୍ଷା, ଜିଏସ୍ଟି ପ୍ରତ୍ୟାହାର, ଫଡି, ସେକସନ୍ ଓ ରେଞ୍ଜ ଉଚ୍ଛେଦ ଭଳି ଦାବି ନେଇ କେନ୍ଦୁପତ୍ର ଶ୍ରମିକ ରାଜରାସ୍ତାକୁ ଓହ୍ଲାଇଛନ୍ତି।
କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ଜିଏସ୍ଟି ବସାଇବା ଶ୍ରମିକମାନଙ୍କ ପାଇଁ ଦୁର୍ଦ୍ଦିନ ଆଣିଦେଇଛି। କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ, ବିଡି ଉପରେ ୨୮ ପ୍ରତିଶତ, ପରିବହନ କ୍ଷେତ୍ରରେ ୫ ପ୍ରତିଶତକୁ ମିଶାଇ ସମୁଦାୟ ୫୧ ପ୍ରତିଶତ ଜିଏସ୍ଟି ବସାସାଇଛି। ଯାହାଫଳରେ କେନ୍ଦୁପତ୍ର ବ୍ୟବସାୟର ସୁଫଳ ଶ୍ରମିକ ଓ କର୍ମଚାରୀଙ୍କ ପାଖକୁ ଯାଇପାରୁ ନାହିଁ। ମୁଖ୍ୟମନ୍ତ୍ରୀ ଏଥିରେ ଜିଏସ୍ଟି ହ୍ରାସ ପାଇ ବିଳମ୍ବରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ହେଁ କେନ୍ଦ୍ରର ନିରବତା ସଂସ୍ଥାରେ ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି କରିଛି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ।
ଏହାସହ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ଗଠନ କରାଯାଇଛି। ଏହି ବୋର୍ଡକୁ ସର୍ବୋଚ୍ଚ ନୀତି ନିର୍ଦ୍ଦାରଣ କମିଟି ଭାବେ ଗ୍ରହଣ କରାଯାଇଥିବା ବେଳେ ଦୈନିନ୍ଦିନ କାର୍ଯ୍ୟ ପରିଚାଳନା ପାଇଁ କେନ୍ଦୁପତ୍ର ସମନ୍ବୟ କମିଟି ନାଁରେ ଆଉ ଏକ କମିଟି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି।
ଆଶ୍ଚର୍ଯ୍ୟର କଥା, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠିତ ବୋର୍ଡ ନେଇଥିବା ନିଷ୍ପତ୍ତିକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପରିବର୍ତ୍ତନ କରିଦେଉଛି। ରେଞ୍ଜ, ସେକସନ୍, ଫଡି ଉଚ୍ଛେଦ, ମଜୁରି ହ୍ରାସ, ସାମାଜିକ ନିରାପତ୍ତା ପ୍ରୋତ୍ସାହନଗୁଡ଼ିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଫଳରେ ପ୍ରାୟ ୧ ହଜାର କର୍ମଚାରୀ ଛଟେଇ ହେବା ସହ କେନ୍ଦୁପତ୍ର ତୋଳାଳିମାନେ ନିଜର ଜୀବନଜୀବିକା ହରାଇବେ।
ସେହିପରି ୨୦୧୫ ମସିହାରେ ଶେଷଥର ଲାଗି ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇଥିଲା। ଏହା ଭିତରେ ରାଜ୍ୟରେ ସର୍ବନିମ୍ନ ମଜୁରି ୪୦-୬୫ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ସିଜିନାଲ କର୍ମଚାରୀଙ୍କ ମଜୁରି ସେହି ହାରରେ ବୃଦ୍ଧି ହୋଇନାହିଁ। ଯାହାକି ସିଜିନାଲ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ତେଣୁ ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଥିବା କେନ୍ଦୁପତ୍ର ଶ୍ରମିକମାନେ କହିଛନ୍ତି ।
ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ , ଇଟିଭି ଭାରତ