କେନ୍ଦୁଝର: ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୧୪ ଦଫା ଦାବିରେ ଆମରଣ ଅନଶନ । ନିର୍ବାଚନରେ ଇଭିଏମ ବ୍ୟବହାର ନିଷେଧ, ଜାତି ଭିତ୍ତିକ ଜନଗଣନା ଭଳି ଦାବି ନେଇ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ଭାରତ ମୁକ୍ତି ମୋର୍ଚ୍ଚା । ଆଜି ଦ୍ବିତୀୟ ଚରଣ ଥିବାବେଳେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋର୍ଚ୍ଚା ପକ୍ଷରୁ ଅନଶନ କରାଯାଇଥିଲା ।
୧୪ ଦଫା ଦାବିରେ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଚରଣବଧ ଭାବେ ଆନ୍ଦୋଳନ ଡାକରା ଦିଆଯାଇଛି । ଏହି ଆନ୍ଦୋଳନର ଆଜି ଦ୍ବିତୀୟ ଚରଣ ଥିବାବେଳେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋର୍ଚ୍ଚା କର୍ମୀ ଅନଶନରେ ବସିଥିଲେ । ୧୪ ଦଫା ଦାବି କେନ୍ଦ୍ର ସରକାର ନମାନିଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବା ସହ ଜେଲଭରୋ କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଅନଶନସ୍ଥଳରେ ଟାଉନ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଅନଶନ ଭଙ୍ଗ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଆନ୍ଦୋଳନକାରୀ କହିଛନ୍ତି, "ବର୍ତ୍ତମାନ ଦେଶରେ ସଂଖ୍ୟାଲଘୁ ଲୋକଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବଢ଼ିଛି । ପୂର୍ବରୁ କଂଗ୍ରେସ ଇଭିଏମ ହ୍ୟାକ୍ କରି ସରକାର ଗଢୁଥିଲା । ଏବେ ବିଜେପି ମଧ୍ୟ ନିର୍ବାଚନ ଜିତିବା ପାଇଁ ଇଭିଏମର ଅପବ୍ୟବହାର କରୁଛି । ସମ୍ବିଧାନକୁ ବିଜେପି ବଦଳେଇବା ପାଇଁ ଅପଚେଷ୍ଟା କରୁଛି । ସେହିଭଳି ଆଦିବାସୀମାନେ ହିନ୍ଦୁ ନୁହଁନ୍ତି । କିନ୍ତୁ ଏବେ ଜୋର ଜବରଦସ୍ତ ହିନ୍ଦୁ କରାଯାଉଛି ।" ତେବେ ଏଭଳି ୧୪ ଦଫା ଦାବି ନେଇ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯାଇଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, କେନ୍ଦୁଝର