କେନ୍ଦୁଝର: ବନ୍ୟପ୍ରାଣୀ ଶିକାର ଅଭିଯୋଗରେ ବିଦ୍ୟୁତ ତାର ବିଛାଇ ଦୁଇ ଗିରଫ । ତେଲକୋଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଶିକାରୀ ହେଲେ ତେଲକୋଇ ଥାନା ଜେନାଦର ଗ୍ରାମର ଯଦୁମଣି କିସାନ ଓ ଲିଙ୍ଗରାଜ କିସାନ ।
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଢିଙ୍କେଶ୍ଵରୀ ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ଉଦ୍ଦେଶ୍ୟରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ବିଛାଇ ବନ୍ୟପ୍ରାଣୀ ଶିକାର କରୁଥିଲେ । ସୂଚନା ପାଇ ତେଲକୋଇ ବନ କର୍ମଚାରୀ ଚଢାଉ କରିଥିଲେ । ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଉଭୟଙ୍କୁ ଗିରଫ କରିବା ସହ ବିଦ୍ୟୁତ ତାର , କାଚ ବୋତଲ , ଖୁଣ୍ଟି , ଲାଠି ଓ ଟାଙ୍ଗିଆ ଜବତ କରିଛି ବନ ବିଭାଗ ।
ପୂର୍ବରୁ ଯଦୁମଣି କିସାନ ୨୦୨୦ ଜୁନ୍ ମାସରେ ମଧ୍ୟ ସମାନ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ଡି ଡି ଧନରାଜ ସୂଚନା ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ