କେନ୍ଦୁଝର: ସରି ଯାଇଛି ବାତ୍ୟା ୟସ । ଏହି ୟସର ପ୍ରଭାବରେ ଜିଲ୍ଲାରେ ଲଗାତାର ଦୁଇ ଦିନ ଧରି ବର୍ଷା ଲାଗି ରହିଛି । ଏହି ଲଗାଣ ବର୍ଷା ପରେ ଜିଲ୍ଲାରେ ଛୋଟ ଛୋଟ ନାଳରେ ପାଣି ବଢିବାରୁ ଜିଲ୍ଲାର ବଡ଼ ନଦୀରେ ମଧ୍ୟ ବନ୍ୟା ଜଳ ପଶିଛି । ଫଳରେ ଏହି ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ଜିଲ୍ଲାର ଉପର ମୁଣ୍ଡ କୁହାଯାଉଥିବା ଯୋଡ଼ା, ବାଁଶପାଳ ଆଦି ବ୍ଲକରେ ଅଧିକ ବର୍ଷା ଯୋଗୁଁ ନଦୀରେ ବନ୍ୟା ଜଳ ପ୍ରଭାବିତ ହୋଇଛି । ଫଳରେ ଏହି ବନ୍ୟାଜଳ ପ୍ରଭାବିତ ହୋଇ ତୁରୁମୁଙ୍ଗା ସ୍ଥିତ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଯିବା ଯୋଗୁଁ ରାଜପଥ ଉପରେ ଯାତାୟାତ ଠପ ହୋଇଛି । ଏନେଇ ଜିଲ୍ଲାପାଳ ନିଜେ ଏହାର ତଦାରଖ କରିବା ସହ କ୍ଷୟକ୍ଷତି ନେଇ ଆକଳନ କରିଛନ୍ତି ।
ଏହାସହ ତଳି ଅଞ୍ଚଳରେ ବନ୍ୟା ଯୋଗୁଁ ଆଶ୍ରୟସ୍ଥଳୀ ଗୁଡିକରେ ୨୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ଥଇଥାନ କରାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଯେଉଁମାନଙ୍କ ଘର ଭାଙ୍ଗିଛି ସେମାନଙ୍କ ତଦନ୍ତ କରାଯାଇ କ୍ଷତି ପୂରଣ ଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ