ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ ଦେଖାଦେଇଛି ହେଟାବାଘ ଆତଙ୍କ । ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ ଅନ୍ତର୍ଗତ କରଡାମାଳି ଏବଂ ନରଦା ଗ୍ରାମରେ ହେଟାବାଘ ଆକ୍ରମଣରେ ଜଣେ ଆହତ ହେବା ସହ ୩ ବାଛୁରି ଗୁରୁତର ହୋଇଥିବା ଜଣାପଡିଛି ।
![keonjhar](https://etvbharatimages.akamaized.net/etvbharat/prod-images/od-kjr-od10009_30112020074037_3011f_1606702237_182.jpg)
ଘଟଣାରୁ ପ୍ରକାଶ ଯେ, ଗତକାଲି(ରବିବାର) ବିଳମ୍ବିତ ରାତ୍ରୀରେ ଏକ ହେଟା ବାଘ କରଡାମାଳିର ତୀର୍ଥମଣି ନାୟକଙ୍କ ଗୁହାଳ ଘରେ ପଶି ଗୋଟିଏ ବାଛୁରୀକୁ ଆକ୍ରମଣ କରିଥିଲା । ପରିବାରଲୋକ ଗାଈ ବାଛୁରିଙ୍କ ଚିତ୍କାର ଶୁଣି ନିଦରୁ ଉଠି ପଡ଼ିବାରୁ ହେଟାବାଘଟି ଲୋକଙ୍କୁ ଦେଖି ସେଠାରୁ ଚମ୍ପଟ ମାରିଥିଲା ।
![keonjhar](https://etvbharatimages.akamaized.net/etvbharat/prod-images/od-kjr-od10009_30112020074037_3011f_1606702237_307.jpg)
ପରେ ନରଦା ଗ୍ରାମର ରବିନ୍ଦ୍ର କୁମାର ସ୍ବାଇଁଙ୍କ ଗୁହାଳ ଘରେ ପଶିଥିଲା । ସେଠାରେ ୨ ଟି ବାଛୁରୀକୁ କାମୁଡି କ୍ଷତାକ୍ତ କରିବା ପରେ ପରିବାର ଲୋକ ନିଦରୁ ଉଠି ହୋହାଲ୍ଲା କରିବାରୁ ହେଟାବାଘଟି ଇତସ୍ତତ ହୋଇଯିବା ସମୟରେ ପ୍ରଶାନ୍ତ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଆହତ କରି ନିକଟସ୍ଥ ଝାଟିଆ ଜଙ୍ଗଲ ଆଡକୁ ଦୌଡ଼ି ପଳାଇଥିଲା ।
ପରେ ଗାଁଲୋକ ଏକତ୍ରିତ ହୋଇ ଠେଙ୍ଗା , ବାଡି ଧରି ଗାଁ ଚାରିପଟେ ପହଁରା ଦେଇଥିଲେ ମଧ୍ୟ ହେଟାବାଘର ଦେଖା ମିଳିନଥିଲା । ଏଥିପାଇଁ ଦୁଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍ଥାନୀୟ ବନବିଭାଗ ତରଫରୁ ଏଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ