କେନ୍ଦୁଝର: ସାମାନ୍ୟ ଅବହେଳାରୁ ଗଲା 4 ବର୍ଷ ଶିଶୁର ଜୀବନ । କେନ୍ଦୁଝର ଜିଲ୍ଲା କେରୀ ଗ୍ରାମରେ ଶିଶୁଟି ଅଟୋରୁ ଖସିପଡି ପ୍ରାଣ ହରାଇଛି । ଉକ୍ତ ଗ୍ରାମର ଭାଗିରଥି ମହାନ୍ତଙ୍କ ପୁଅ ଗୁରୁଚରଣର ବୟସ ମାତ୍ର 4 ବର୍ଷ । ସେପଟେ ଅଟୋ ଚଲାଉଥିବା ନାବାଳକ ରବି ମହାନ୍ତ ଭୟରେ ବିଷ ପିଇ ଦେଇ ମେଡିକାଲରେ ଭର୍ତ୍ତି ହୋଇଛି ।
ସୂଚନା ଅନୁସାରେ ରବି ନିଜ ପିଉସୀ ଘରେ ରହି ଦଶମ ଶ୍ରେଣୀରେ ପାଠ ପଢେ । ସେ ନୂଆକରି ଅଟୋ ଚଲାଇବା ସିଖିଥିବାରୁ ଘରର ଅଟୋକୁ ଗାଁରେ ଥିବା ଏକ କେନାଲକୁ ଧୋଇବା ପାଇଁ ନେଇଥିଲା । ଆଉ ତାସାଙ୍ଗରେ ସେ ଗୁରୁ ଚରଣକୁ ନେଇଯାଇଥିଲା । ଅଟୋ ଧୋଇ ଘରକୁ ଫେରିବା ସମୟରେ ଗୁରୁଚରଣ ଅଟୋରୁ ଖସିପଡିଥିଲା । ଏହି ସମୟରେ ଅଟୋର ପଛ ଚକା ତା ମୁଣ୍ଡ ଉପରେ ମାଡି ଯାଇଥିଲା । ଘଟଣାସ୍ଥଳରେ ହିଁ ଗୁରୁଚରଣର ମୃତ୍ୟୁ ଘଟିଥିଲା ।
ସେପଟେ ରବି କିନ୍ତୁ କାହାକୁ କିଛି ନ କହି ଘରେ ଅଟୋ ରଖି ଲୁଚି ଯାଇଥିଲା । ଘଟଣା ଜଣାପଡିବା ପରେ ଗୁରୁଚରଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ଏଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଛନ୍ତି । ଗାଁରେ ରବି ଭୟରେ ବିଷ ପିଇ ଦେଇଥିଲା । ପରେ ରବିକୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ