କେନ୍ଦୁଝର: ଏକ ହାଇଓ୍ବା ଟ୍ରକ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ବଡବିଲ ପୋଲିସ। ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଝାଡଖଣ୍ଡରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ ଝାଡଖଣ୍ଡ ମଞ୍ଝାରୀ ଥାନା ଅନ୍ତର୍ଗତ କାଇକଳା ଖେଡିଆ ନଗର ଅଞ୍ଚଳର ଦେଶୁଆ ଓରଫ ସାଗର, ହାଟଗମ୍ଭାରିଆ ଥାନା ଜୟପୁର ଗ୍ରାମର ପଙ୍କଜ ଓରଫ ପମି ଗାଗରାଇ ଏବଂ ଏମଜିଏମ ଥାନା ବାଲିଗୁମା ଗ୍ରାମର ରଞ୍ଜନ ପଣ୍ଡିତ ।
ସୂଚନା ଅନୁଯାୟୀ, ଗତ ୩୦ ତାରିଖ ବିଳମ୍ବିତ ରାତିରେ ପିଏଚଡି ଇଣ୍ଡୋର ଷ୍ଟାଡିୟମ ନିକଟରେ ଛିଡା ହୋଇଥିବା ବିଜୟ କୁମାର ଧଳଙ୍କ ଓଆର ୦୫ ଏସି ୫୬୯୩ ନମ୍ବର ହାଇଓ୍ବା ଟ୍ରକ ଚୋରୀ ହୋଇଥିବା ନେଇ ବଡବିଲ ଥାନାରେ ଅଭିଯୋଗ ହୋଇଥିଲା । ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ୧୪ ଦିନ ପରେ ପୋଲିସ ହାଇଓ୍ବାର ସନ୍ଧାନ ପାଇଲା ବେଳକୁ ଅନେକ ବିଳମ୍ବ ହୋଇସାରିଥିଲା । ଗାଡ଼ିକୁ ଖଣ୍ଡଖଣ୍ଡ କରି କାଟିଦେଇଥିଲେ ଅଭିଯୁକ୍ତ।
ଝାଡଖଣ୍ଡ ଟାଟାନଗର ସ୍ଥିତ ଡିମନା ଅଞ୍ଚଳରେ ଥିବା ଏକ ଗ୍ୟାରେଜରେ ଅଭିଯୁକ୍ତ ରଞ୍ଜନ ପଣ୍ଡିତ ଗ୍ୟାସ କଟର ସାହାଯ୍ୟରେ ଖଣ୍ଡଖଣ୍ଡ କରି କାଟିଦେଇଥିଲେ । ପୋଲିସ ହାଇଓ୍ବାର ଚେସିସ ସମେତ ବିଭିନ୍ନ ଭଗ୍ନ ଅଂଶକୁ ଜବତ କରି ବଡ଼ବିଲ ଆଣିଥିଲା ବେଳେ ଗାଡିର ଇଞ୍ଜିନକୁ ନେଇ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗାଡି ଚୋର ମାନେ ଦୀର୍ଘ ଦିନ ଧରି ଉକ୍ତ ଅଞ୍ଚଳରେ ଟ୍ରକ ଚୋରି କରି ବାହାର ରାଜ୍ୟରେ ବିକ୍ରି କରୁଥିବା ଅଭିଯୋଗ ହେଇ ଆସୁଥିଲା ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ