କେନ୍ଦ୍ରାପଡା: କଥାରେ ଅଛି, ଜଳ ହିଁ ଜୀବନ । ହେଲେ ଏଠି ଜଳ ଜୀବନ ନୁହେଁ, ବରଂ ଜୀବନ ପାଇଁ ପାଲଟିଛି ଜହର । ପ୍ରତ୍ୟେକ ଦିନ ହଜାର ହଜାର ଟ୍ରକ୍ ଡ୍ରାଇଭର ଓ ହେଲପର ଏହି ଦୂଷିତ ଜଳ ଜହର ପାନ କରୁଛନ୍ତି । ଏ ଦୃଶ୍ୟ ଦୈତାରୀ-ପାରାଦ୍ବୀପ 5 ନମ୍ବର ଜାତୀୟ ରାଜପଥର ଦୁହୁରିଆ ଛକ ଏବଂ ଏହାର ଆଖପାଖ ଅଞ୍ଚଳର । ଯେଉଁଠି ଜଳ ନାଁରେ ଚାଲିଛି ବ୍ୟବସାୟ ।
ଚଣ୍ଡିଖୋଲରୁ ପାରାଦ୍ବୀପ ପ୍ରାୟ 77 କିଲୋମିଟର ମଧ୍ୟରେ ଅଟକି ରହିଥାଏ ପ୍ରାୟ ଅଢେଇ ହଜାରରୁ ଊର୍ଦ୍ଧ୍ବ ଟ୍ରକ । ପ୍ରତି ଟ୍ରକ୍ ଦୈନିକ ପ୍ରାୟ ସର୍ବନିମ୍ନ ଆବଶ୍ୟକତା ପାଇଁ ଯଦି 40 ଲିଟର ପାଣି କିଣନ୍ତି, ଏହି କ୍ରମରେ ପ୍ରାୟ 1 ଲକ୍ଷରୁ ଅଧିକ ଲିଟର ପାଣି ଏଠାରେ ବିକ୍ରି କରାଯାଉଛି । ସେହିପରି ଦୈନିକ ପ୍ରାୟ 4 ଲକ୍ଷ ଟଙ୍କାର ଦୂଷିତ ଜଳ ଏହି ରାଜପଥରେ କାରବାର ହେଉଛି । ଆଉ ଏହି ଜଳକୁ କୂଅ, ପୋଖରୀ ଏବଂ କୌଣସି ନଳକୂପରୁ ଆଣି ପ୍ଲାଷ୍ଟିକ ଜାରରେ ଭର୍ତ୍ତି କରି ଜାତୀୟ ରାଜପଥରେ ବିକ୍ରି କରାଯାଉଛି । ଯାହାର ଦାମ ରହୁଛି 30ରୁ 50ଟଙ୍କା ।
ବାଲିଚନ୍ଦ୍ରପୁର, ଲକ୍ଷ୍ମୀନାରାୟଣପୁର, ପଞ୍ଚୁପାଣ୍ଡବ, ଗୋପ, କେନ୍ଦ୍ରାପଡା, ମାର୍ଶାଘାଇ ଭଳି ଅଞ୍ଚଳର ଅନେକ ଅଣପଞ୍ଜିକୃତ ସଂସ୍ଥା ଏହି ବ୍ୟବସାୟ କରି ମାଲାମାଲ ହେଉଛନ୍ତି । କିନ୍ତୁ ଏ ବିଷୟରେ ପ୍ରଶାସନ ଅଜଣା । ସେପଟେ ଜିଲ୍ଲାପାଳ ଏଥିପ୍ରତି ନଜର ଦେବା ସହ ଡିଟେଲ ଇନକ୍ବାରୀ କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ