କେନ୍ଦ୍ରାପଡ଼ା: କେନ୍ଦ୍ର ଗୃହ, ଯୁବବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକଙ୍କ କେନ୍ଦ୍ରାପଡ଼ା ଗସ୍ତର ଆଜି ହେଉଛି ଦ୍ବିତୀୟ ଦିନ । ଆଜି (ରବିବାର) ଦ୍ଵିତୀୟ ଦିନରେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ । ଏହି ଅବସରରେ ପେଗରପଡା ପଞ୍ଚାୟତର ଏକ ଦଳିତ ବସ୍ତିରେ ମନ୍ତ୍ରୀଙ୍କ ପାଇଁ ହୋଇଥିବା ଭୋଜନ ବ୍ୟବସ୍ଥାରେ ସେ ସାମିଲ ହୋଇଥିଲେ । ତେବେ ଆଗରୁ ସାଧାରଣ ଲୋକେ କେନ୍ଦ୍ରମନ୍ତ୍ରୀମାନଙ୍କ ପାଖରେ ପହଞ୍ଚି ପାରୁନଥିବାବେଳେ, ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀମାନେ ଲୋକଙ୍କ ପାଖରେ ପହଞ୍ଚିବା ଭଳି କାର୍ଯ୍ୟକ୍ରମ ଦ୍ବାରା ପ୍ରଧାନମନ୍ତ୍ରୀ ନୂଆ ଭାରତର ପରିକଳ୍ପନା କରୁଥିବା କହିଛନ୍ତି ପ୍ରାମାଣିକ ।
କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାର ସମୀକ୍ଷା କରିବା ପାଇଁ ୭ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ତେବେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଅଚାନକ ଗସ୍ତ କରି କେନ୍ଦ୍ରୀୟ ଯୋଜନା ଗୁଡ଼ିକର ସମୀକ୍ଷା କରିବା ସହିତ ସରକାରୀ ଅଧିକାରୀ ମାନଙ୍କୁ ତାଗିଦ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହାକୁ ନେଇ ବିଜେଡି ବିଜେପିକୁ କଡ଼ା ସମାଲୋଚନା ମଧ୍ୟ କରୁଛି । ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀମାନେ ଇନ୍ସପେକ୍ଟର ରାଜ ଭଳି ବ୍ୟବହାର କରୁଥିବା କହି କଟାକ୍ଷ କରିଥିଲେ ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ।
ତେବେ କେନ୍ଦ୍ରମନ୍ତ୍ରୀ ମାନଙ୍କ ଏହି ଗସ୍ତ ଅବସରରେ କେନ୍ଦ୍ର ଗୃହ, ଯୁବବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ କେନ୍ଦ୍ରାପଡ଼ା ଗସ୍ତରେ ଆସିଛନ୍ତି । ଆଜି ହେଉଛି ମନ୍ତ୍ରୀଙ୍କ ଏହି ଗସ୍ତର ଦ୍ଵିତୀୟ ଦିନ । ତେବେ ଦ୍ଵିତୀୟ ଦିନରେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି କେନ୍ଦ୍ର ଗୃହ, ଯୁବବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ । ଏହି ଗସ୍ତ ସମୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ସିଧାସଳଖ କଥା ହେବା ସହ ଜନସାଧାରଣଙ୍କ ପରାମର୍ଶ ଗ୍ରହଣ କରି ଲୋକମାନେ କରିଥିବା ଅଭିଯୋଗକୁ କେନ୍ଦ୍ରରେ ଉପସ୍ଥାପନ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଲଘୁଚାପ ଜନିତ ପ୍ରବଳ ବର୍ଷା ସତ୍ତ୍ବେ ହଜାର ହଜାର ଲୋକ କେନ୍ଦ୍ରମନ୍ତ୍ରୀଙ୍କୁ ପେଗରପଡା ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିକଟରେ ସ୍ବାଗତ କରିଥିଲେ । ଏହାପରେ ପେଗରପଡାର ଏକ ଦଳିତ ବସ୍ତିରେ ଭୋଜନ କରିଥିଲେ ମନ୍ତ୍ରୀ । ତେବେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ କହିଛନ୍ତି, "ଏହା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଏକ ଯୁଗୋପଯୋଗୀ ଆହ୍ବାନ । ଅତୀତରେ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ସାଧାରଣ ଲୋକଟିଏ ସହଜରେ ଯାଇପାରୁନଥିଲା । କିନ୍ତୁ ଏବେ ମନ୍ତ୍ରୀମାନେ ନିଜେ ଲୋକଙ୍କ ପାଖକୁ ଆସି ସେମାନଙ୍କ ପରାମର୍ଶ ନେଇଉଛନ୍ତି । ଏପରି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନୂଆ ଭାରତର ପରିକଳ୍ପନା କରୁଛନ୍ତି ।" ତେବେ କେନ୍ଦ୍ରମନ୍ତ୍ରୀ ପେଗରପଡା ଦଳିତ ବସ୍ତିରେ ଭୋଜନ କରିବା ଅତି ଉଚ୍ଚବିଚାର ଓ ଏହାଦ୍ବାରା ଦଳିତ ବସ୍ତିବାସିନ୍ଦା ବହୁତ ଆନନ୍ଦିତ ବୋଲି କହିଛନ୍ତି ପେଗରପଡା ସମିତିସଭ୍ୟ। ।
ଇଟିଭି ଭାରତ, କେନ୍ଦ୍ରାପଡ଼ା