କେନ୍ଦ୍ରାପଡା: ସିଏଏ ସଚେତନତା ପାଇଁ ଦେଶବ୍ୟାପୀ ଜନସମ୍ପର୍କ ଯାତ୍ରା ଆରମ୍ଭ କରିଛି ବିଜେପି । କେନ୍ଦ୍ରାପଡା ମହାକାଳ ପଡା ବ୍ଲକରେ ନାଗରିକତା ସଂଶୋଧନ ଆଇନ ଜନଜାଗରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ କେନ୍ଦ୍ରାପଡା ଗସ୍ତ କରି ଏହାର ଶୁଭାରମ୍ଭ କରିଥିଲେ ।
ନାଗରିକ ସଂଶୋଧନ ଆଇନ କାହାକୁ ଦେଶରୁ ତଡି ଦେବା ପାଇଁ ନୁହେଁ ବରଂ ନିଷ୍ପେସିତ ଓ ନିର୍ଯାତିତଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ l ସେ ନାଗରିକ ସଂଶୋଧନ ଜନ ଜାଗରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ନୂତନ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l
ତେବେ ମହାକାଳପଡାରୁ କୌଣସି ଶରଣାର୍ଥୀଙ୍କୁ ଦେଶ ଛାଡି ଯିବାକୁ ଦିଆଯିବନି l ପ୍ରଧାନମନ୍ତ୍ରୀଙ୍କ ସ୍ଵପ୍ନର ଭାରତ ଏକ ସମୃଦ୍ଧ ଓ ସଂଗଠିତ ଭାରତ l ଏହାକୁ ଭାଗ ଭାଗ ହେବାକୁ ଦିଆଯିବ ନାହିଁ l ଏହି ଆଇନ ଲାଗୁ ହେଲେ କିଛି ବ୍ୟକ୍ତିଙ୍କ ଭୋଟ ବ୍ୟାଙ୍କ ପ୍ରଭାବିତ ହେବାର ଆଶଙ୍କା କରି ସେମାନେ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ ।
ସାଧାରଣସଭା ପରେ ମନ୍ତ୍ରୀ ସ୍ଥାନୀୟ ସାମଲ ପଡା ସ୍ଥିତ ଶରଣାର୍ଥୀ ନିଶି ସେନାଙ୍କ ଘରେ ମୁଢ଼ି ଖାଇଥିଲେ l ଏହି ପରିବାରକୁ ଭେଟି କେନ୍ଦ୍ରମନ୍ତ୍ରୀ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ପରେ ଶବରପଡାରେ ମଧ୍ୟ ଏକ ଶରଣାର୍ଥୀ ପରିବାରକୁ କେନ୍ଦ୍ରମନ୍ତ୍ରୀ ଭେଟିଥିଲେ l ଏହି କାର୍ଯ୍ୟକ୍ରମରେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟ ଉପ ସଭାପତି ଭୁବନ ମୋହନ ଜେନା ଓ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ସାମିଲ ହୋଇଥିଲେ l
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ