କେନ୍ଦ୍ରାପଡ଼ା : ଛାତ୍ରୀଙ୍କୁ କମେଣ୍ଟ ମାରିବା ଘଟଣାର ପ୍ରତିବାଦ କରିବାରୁ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । ମାଡମାରିବା ସହ ଶିକ୍ଷକଙ୍କ ଉପରେ ସାଇକେଲ ଚଢାଇଲେ ଅସାମାଜିକ ଯୁବକ । ଅଭିଯୋଗ ପରେ ବନ୍ଧା ହେଲେ ଦୁଇ ଯୁବକ।
ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ରାଜକନିକା ଥାନା ଅଯୋଦ୍ଧା ବିଦ୍ୟାପୀଠର ଶିକ୍ଷକ ବସନ୍ତ କୁମାର ତରାଇ ଓ ଓ ଶିକ୍ଷକ ମଦନ ମୋହନ ଦାସ ଗତକାଲି ବିଦ୍ୟାଳୟ ଛୁଟି ହେବା ପରେ ସାଙ୍ଗ ହୋଇ ଫେରୁଥିଲେ । ଏହି ସମୟରେ ଯୁବକ ଦୁଇଜଣ ବିଦ୍ୟାଳୟରୁ ଘରକୁ ଫେରୁଥିବା ଛାତ୍ରୀଙ୍କୁ କମେଣ୍ଟ କରିବା ସହ ବାଟରେ ଅଟକାଇଥିଲେ । ଏହାପରେ ଉକ୍ତ ବିଦ୍ୟାଳୟର କିଛି ଛାତ୍ରଙ୍କ ସହ ବଚସା ହେଉଥିଲା। ଶିକ୍ଷକ ଦୁଇଜଣ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ସେଠାରୁ ବିଦା କରିବା ସହ ଏଭଳି ଅସାମାଜିକ କାର୍ଯ୍ୟରୁ ଦୁରେଇ ରହିବା ପାଇଁ ଦୁଇ ଯୁବକ ରନକ ଦାସ ଓ ବିନୋଦ ପ୍ରଧାନଙ୍କୁ ତାଗିଦ କରିଥିଲେ।
ଏଥିରେ ଦୁଇ ଯୁବକ ପ୍ରତିଶୋଧ ପରାୟଣ ହୋଇ ଶିକ୍ଷକ ବସନ୍ତ ତରାଇଙ୍କୁ ମାଡମାରି ତଳେ ପକାଇ ଦେବା ପରେ ଶିକ୍ଷକ ମଦନ ମୋହନ ଦାସଙ୍କ ଛାତି ଉପରେ ସାଇକେଲ କଚାଡି ଦେଇଥିଲେ । ଏଭଳି କାଣ୍ଡ ଭିଆଇଥିବା ଗଞ୍ଜା ଗାଁର ରନକ ଏବଂ ଚାଲୁଣିଆ ଗାଁର ବିନୋଦକୁ ରାଜକନିକା ପୋଲିସ ଗିରଫ କରିଥିବା ସୂଚନା ମିଳିଛି।