କେନ୍ଦ୍ରାପଡ଼ା: ମହାମାରୀ କୋରୋନା ଏବେ ସାରା ବିଶ୍ବରେ ମୁଣ୍ଡବ୍ୟଥାର କାରଣ ପାଲିଟିଛି । ଆଉ ଏହାର ପ୍ରତିକାର ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ଏପରିକି ରାଜ୍ୟର ସର୍ବ ପ୍ରଥମ ପୌରପାଳିକା କେନ୍ଦ୍ରାପଡ଼ାରେ କୋଭିଡ଼-୧୯ ବା କୋରୋନା ମୁକାବିଲା ପାଇଁ ପ୍ରଥମ ବିଶୋଧନ କକ୍ଷ ବା ସାନିଟାଇଜିଙ୍ଗ ଟନେଲ ପ୍ରତିଷ୍ଠା କରାଯାଇଛି, ଯାହାର ଅଗ୍ରଗତି ନିରୀକ୍ଷଣ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।
ସୂଚନା ଅନୁସାରେ ଶୁକ୍ରବାର କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ପ୍ରତିଷ୍ଠା କରାଯାଇଥିବା ଏହି ବିଶୋଧନ କକ୍ଷରେ ପ୍ରତ୍ୟେକ ଜନସାଧାରଣ ନିଜକୁ ସାନିଟାଇଜ କରିଥିଲେ । କୌଣସି ବ୍ୟକ୍ତି ଏହି କକ୍ଷ ମଧ୍ୟକୁ ପ୍ରବେଶ କଲା ମାତ୍ରେ ହିଁ ସ୍ୱୟଂଚାଳିତ ସ୍ପ୍ରେ ମେସିନ ଉକ୍ତ ବ୍ୟକ୍ତିଙ୍କୁ ସ୍ପ୍ରେ କରି ବିଶୋଧନ କରିବ । ସାରା ରାଜ୍ୟରେ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଥିବା କେନ୍ଦ୍ରାପଡ଼ା ପୌର ପରିଷଦ ପକ୍ଷକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।
ସହରର ପୁରୁଣା ମଟରଷ୍ଟାଣ୍ଡ, ଇଚ୍ଛାପୁରର ବଳଦେବଜୀଉ ରଥଦାଣ୍ଡ ଓ ତିନିମୁହାଣୀ ଛକରେ ଆଉ ତିନୋଟି ଏଭଳି ଅତ୍ୟାଧୁନିକ ସାନିଟାଇଜିଙ୍ଗ ଟନେଲ ବା ବିଶୋଧନ କକ୍ଷ ନିର୍ମାଣ କରିବାର ଯୋଜନା ରଖିଛି ବୋଲି ପୌରପରିଷଦ ଅଧିକାରୀ କହିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ