କେନ୍ଦ୍ରାପଡ଼ା: ଅବହେଳିତ, ନିର୍ଯାତିତା ଏବଂ ପାରିବାରିକ କଳହର ଶିକାର ମହିଳା ଓ ଯୁବତୀ ମାନଙ୍କୁ ବିଭିନ୍ନ NGOଙ୍କ ଦ୍ଵାରା ସ୍ଥାପନ କରାଯାଇଥିବା ମହିଳା ଓ ଶିଶୁ ସୁରକ୍ଷା ବିଭାଗରେ ରଖିଥାଏ। ହେଲେ ଏହି ଏନଜିଓ ମାନଙ୍କରେ କଣ ଚାଲିଥାଏ ଓ କଣ ଘଟିଥାଏ ଅନ୍ତେବାସିନୀମାନଙ୍କ କ୍ଷେତ୍ରରେ, ତାହା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ପାଟଳିପଙ୍କରେ ଥିବା ଲୁଥେରାନ ମହିଳା ସମିତିରୁ ଆସିଥିବା ଅଭିଯୋଗ ପରେ ଜଳଜଳ ଦିଶୁଛି। ଲୁଥେରାନ ମହିଳା ଶିଶୁ ପ୍ରଯତ୍ନ ଗୃହରେ ଜଣେ ଜନୈକା ମହିଳା ଗତ ୨୦୨୦ ଜୁଲାଇ ୧୭ତାରିଖରେ ଏକ ଶିଶୁକୁ ଜନ୍ମଦେବା ପରେ ଏହି କେନ୍ଦ୍ରର ସଭାନେତ୍ରୀଙ୍କ ଭାଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ରାଜ୍ୟ ମହିଳା ଓ ଶିଶୁସୁରକ୍ଷା ବିଭାଗ ନିକଟରେ ଅଭିଯୋଗ ଆଣିଥିଲେ ସମ୍ପାଦିକା।
ଅନ୍ୟପଟେ ସମ୍ପାଦିକାଙ୍କ ଭାଇଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇ ମା'ହୋଇଥିବା ଜଣେ ନାବାଳିକାଙ୍କ ଅଭିଯୋଗ ପରେ ଏହା ଶିଶୁ ଓ ମହିଳାମାନଙ୍କ ଥଇଥାନ କେନ୍ଦ୍ର ନା ଶିଶୁ ତିଆରି ଏବଂ ମହିଳା ଶୋଷଣ କେନ୍ଦ୍ର ବୋଲି ଆଲୋଚନା ହେଉଛି। ଏଠାରେ ନିର୍ଯ୍ୟାତନାର ଶିକାର ହୋଇ ବହୁ ଦଳିତ ମହିଳା, ଯୁବତୀ ମୁଣ୍ଡ ଗୁଞ୍ଜିବା ପାଇଁ ଆଶ୍ରୟ ନେବାକୁ ଥଇଥାନ ହେଉଥିବା ବେଳେ ସଭାପତି ଓ ସମ୍ପାଦିକାଙ୍କ ଭାଇଙ୍କ ଲୋଲୁପ ଦୃଷ୍ଟିର ଏମାନେ ଶିକାର ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅନ୍ତେବାସିନୀ ମାନଙ୍କୁ ଅନେକ ସମୟରେ ମାଡଗାଳି ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି ଲୁଥେରାନରେ ଥିବା ଜନୈକା ନାବାଳିକାଙ୍କ ମା।
ଗୋଟିଏ ପଟେ ପ୍ରତ୍ୟେକ ମାସରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଲୁଥେରାନରେ କାଉନସେଲିଂ ଓ ତଦନ୍ତ କରାଯାଉଥିବା ବେଳେ ଏଭଳି ଘଟଣା କିପରି ଆସିଲା ନାହିଁ ସେନେଇ କ୍ଷୋଭ ପ୍ରକାଶ କରିଛନ୍ତି ଖୋଦ ରାଜ୍ୟ ମହିଳା ଓ ଶିଶୁ ସୁରକ୍ଷା ବିଭାଗ ସଭାନେତ୍ରୀ। ଜିଲ୍ଲା ପ୍ରଶାସନ ଯଦି ସଠିକ ଭାବରେ ଏଭଳି ସଂସ୍ଥା ଗୁଡିକୁ ଦୃଷ୍ଟିରେ ରଖିଥାନ୍ତା ତେବେ ଏ ଦୃଶ୍ୟ ଦେଖିବାକୁ ମିଳିନଥାନ୍ତା ବୋଲି କହିଛନ୍ତି ଅଧ୍ୟକ୍ଷା। ଏହି ଘଟଣା ପରେ ବିଭିନ୍ନ ଫୋରମରୁ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରିବା ଦାବି ହୋଇଥିଲେ ମଧ୍ୟ ପ୍ରଶାସନ କଣ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ