କେନ୍ଦ୍ରାପଡା: କଣ୍ଟିଲୋ ନୀଳମାଧବ ଦର୍ଶନ ବେଳେ ଅଘଟଣ । ପାଣିରେ ବୁଡିଯାଉଥିଲେ ଛାତ୍ର । ବଞ୍ଚାଇବାକୁ ଯାଇ ପାଣିରେ ବୁଡିରେ ଶିକ୍ଷକଙ୍କ ମୃତ୍ୟୁ । ଛାତ୍ରଙ୍କର ଜୀବନ ବଞ୍ଚିଗଲା ହେଲେ ଅକାଳରେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ ଶିକ୍ଷକ ହେଲେ କେନ୍ଦ୍ରାପଡ଼ା ମହାକାଳପଡା ବ୍ଲକ ଶଙ୍ଖପଦା ଗ୍ରାମର ସରୋଜ ।
ସୂଚନାଅନୁସାରେ, ସରୋଜ ସ୍ଥାନୀୟ ବଳିପାଳ ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନଙ୍କୁ ସାଙ୍ଗରେ ଧରି ଅନ୍ୟ ଶିକ୍ଷକ ମାନଙ୍କ ସହ ପିକନିକ କରିବା ନିମନ୍ତେ ନୟାଗଡ଼ ଅଞ୍ଚଳକୁ ଯାଇଥିଲେ । ତେବେ ବୁଧବାର ସକାଳୁ କଣ୍ଟିଲୋସ୍ଥିତ ମହାନଦୀରେ ଗାଧୋଉଥିବା ବେଳେ ପିଲାମାନଙ୍କ ମଧ୍ୟରୁ ଜଣେ ଛାତ୍ର ଗଭୀର ଜଳରାଶିରେ ବୁଡିଯାଉଥିବା ଦେଖି ଯୁବ ଶିକ୍ଷକ ସରୋଜ ଛାତ୍ର ଜଣଙ୍କୁ ବଞ୍ଚାଇବାକୁ ଯାଇ ମହାନଦୀକୁ ଲମ୍ଫ ମାରିଥିଲେ ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ବୁଡ଼ିଯାଉଥିବା ଛାତ୍ର ଜଣଙ୍କ ଉଦ୍ଧାର ହୋଇଥିଲା ବେଳେ ଶିକ୍ଷକ ସରୋଜଙ୍କ ମୃତ୍ୟୁ ଘଟିଛି। ବୁଧବାର ସକାଳୁ ହଠାତ ସରୋଜଙ୍କ ମୃତ୍ୟୁ ଖବର ଶୁଣି ପରିବାର ସହ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ଏହା ମଧ୍ୟ ପଢନ୍ତୁ: Womens T20 World Cup: ଭାରତୀୟ ଦଳ ଘୋଷିତ, ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଦଳ
ମାଆ ଏବଂ ବାପାଙ୍କ ଆଖିରୁ ଲୁହ ଶୁଖୁନାହିଁ । ଘରେ ଶିକ୍ଷିତ ପୁଅ ପିକନିକ କରିବାକୁ କହି ଯାଇଥିଲା ଯେ ଶେଷକୁ ତାର ମୃତଦେହ ଫେରିଲା । ପିକନିକ୍ ହେଲା ପୁଅର ଶେଷ ଯାତ୍ରା । କେନ୍ଦ୍ରାପଡ଼ା ମହାକାଳପଡା ବ୍ଲକ ଶଙ୍ଖପଦା ଗ୍ରାମର ହେଉଛି ଏହି ହୃଦୟ ବିଦାରକ ଘଟଣା। ଜଣେ ଛାତ୍ରକୁ ବଞ୍ଚାଇବାକୁ ଯାଇ କୋଚିଂ ସେଣ୍ଟରର ଶିକ୍ଷକ ଜୀବନ ଦେବା ବାସ୍ତବିକ ଗୁରୁଙ୍କର ଛାତ୍ର ପ୍ରତି ଭଲପାଇବାକୁ ଦର୍ଶାଇଛି । ଏପଟେ ପୁଅକୁ ହରାଇ କାନ୍ଦ ବୋବାଳିରେ ମାଟିରେ ଲୋଟି ମିନିଟକୁ ମିନିଟ ଚେତା ହରାଉଛନ୍ତି ପରିବାରବର୍ଗ।
ଇଟିଭି ଭାରତ, କେନ୍ଦ୍ରାପଡା