କେନ୍ଦ୍ରାପଡ଼ା: ପୁଣି ଅଶାନ୍ତ କେନ୍ଦ୍ରାପଡା । ଜିଲ୍ଲାର ମାର୍ଶାଘାଇ ଥାନା ମଙ୍ଗଳାଛକ ନିକଟରେ ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଗୁଳିମାଡର ଶିକାର ହେଲେ ଠିକାଦାରଙ୍କ ନିକଟରେ କାମ କରୁଥିବା ଜନୈକ ସୁପରଭାଇଜର । ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ସୁପରଭାଇଜରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ସଦ୍ୟ ସୂଚନା ଅନୁସାରେ ଗୁରୁତର ସୁପରଭାଇଜରଙ୍କୁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।
ଆଜି ସନ୍ଧ୍ୟାରେ ଜଗତସିଂହପୁର ମହିରା ଅଞ୍ଚଳର ସୁପରଭାଇଜର ଶକ୍ତି ଚନ୍ଦନ ମହାନ୍ତି ନିଜ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ କେନ୍ଦ୍ରାପଡା ମାର୍ଶାଘାଇ ଥାନା ମଙ୍ଗଳାଛକ ନିକଟ ଲୁଣା ନଦୀ ପୋଲ ନିକଟରେ ୨ ଜଣ ଦୁର୍ବୃତ୍ତ ଏକ ବୁଲେଟ ଯୋଗେ ଆସି ତାଙ୍କୁ ଗୁଳି କରିଥିଲେ । ଗୁଳିଟି ଶକ୍ତିଙ୍କ ପେଟରେ ବାଜିଥିବା ବେଳେ ସେଠାରେ ସେ ଟଳି ପଡିଥିବା ଦେଖି ଦୁର୍ବୃତ୍ତମାନେ ସେଠାରୁ ଫେରାର ମାରିଛନ୍ତି ।
ଏହା ବି ପଢନ୍ତୁ- କାମାକ୍ଷାନଗରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ଗୁଳିମାଡ
ଶକ୍ତିଙ୍କୁ ପ୍ରଥମେ ମାର୍ଶାଘାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ସେଠାରେ ମଧ୍ୟ ଅବସ୍ଥା ଉଦବେଗଜନକ ରହିଥିବା ଦେଖି ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଛି । ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।
କଣ ଥିଲା ଘଟଣା ? : ମୁହଁ ସଞ୍ଜ ସମୟରେ ଵ୍ୟସ୍ତ ବହୁଳ ଚଣ୍ଡୀଖୋଲ-ପାରାଦ୍ୱୀପ ୫୩ନଂ ଜାତୀୟ ରାଜପଥ ଉପରେ ମାର୍ଶାଘାଇ ଥାନା ମଙ୍ଗଳା ଛକ ସନ୍ନିକଟ ଲୁଣା ପୋଲ ଉପରେ ଜଗତସିଂହପୁର ଥାନା ଅନ୍ତର୍ଗତ ମାହିରା ଗାଁର ଶକ୍ତି ଚନ୍ଦନ ମହାନ୍ତିଙ୍କୁ ଗୁଳିମାଡ଼ ହୋଇଛି । ଶକ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଏବେ ଜିଲ୍ଲାରେ ଆତଙ୍କର ବାତାବରଣ ସୃଷ୍ଟି କରିଛି । ମାହିରା ଗାଁର ବିପିନ ବିହାରୀ ମହାନ୍ତିଙ୍କ ପୁଅ ଶକ୍ତି ମାର୍ଶାଘାଇ ଅଞ୍ଚଳର ବୁଟୁ ନାମକ ଜଣେ ଠିକାଦାରଙ୍କ ନିକଟରେ କିଛି ଦିନ ତଳେ ସୁପରଭାଇଜର କାମ ଆରମ୍ଭ କରିଥିଲେ । ପୂର୍ବରୁ ଠିକାଦାର କାମରେ ନିୟୋଜିତ ବୁଟୁଙ୍କୁ ଦାଦାବଟି ମଗାଯାଇଥିବା ସୂଚନା ରହିଥିବା ବେଳେ ଆଜି ସନ୍ଧ୍ୟାରେ ଶକ୍ତି ଘରକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଦୁଇ ଦୁର୍ବୃତ୍ତ ଏକ ବୁଲେଟ ଯୋଗେ ଆସି ଅଟକାଇଥିଲେ । ଶକ୍ତି ଅଟକିବା ପରେ ତାଙ୍କ ବ୍ୟାଗ ଆଦିକୁ ତନଖି କରିବା ପରେ ପରେ ତାଙ୍କ ପେଟରେ ଗୁଳି କରିଥିଲେ ଦୁର୍ବୃତ୍ତ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା