କେନ୍ଦ୍ରାପଡ଼ା: ଭାଇରାଲ ହେବାରେ ଲାଗିଛି ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ । ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଘଟଣାରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଯୁବକ ଜଣକ ଛାତ୍ରୀର ଅଶ୍ଲୀଳ ସିଡିକୁ ବିକ୍ରି କରିବାକୁ ବାରମ୍ବାର ଧମକ ଦେବା ସହ ବ୍ଲାକମେଲିଂ କରିଆସୁଥିଲା ।
ସୂଚନା ଅନୁସାରେ, ୨୦୧୪ମସିହାରେ ଛାତ୍ରୀଜଣଙ୍କ ମ୍ୟାଟ୍ରିକ ପରୀକ୍ଷା ଦେବା ସମୟରେ ସ୍ଥାନୀୟ ଅଞ୍ଚଳର ସୌମ୍ୟରଞ୍ଜନ ସାହୁ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଭଲପାଇବା ବାହାନାରେ ଛାତ୍ରୀଜଣଙ୍କୁ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ସହ ଭିଡିଓ ଉତ୍ତୋଳନ କରିଥିଲା ।
ଏତିକିରେ ସୌମ୍ୟରଞ୍ଜନର ମନ ବୁଝି ନଥିଲା । ଏହାକୁ ଅଶ୍ଲୀଳ ସିଡି କରି ଛାତ୍ରୀର ଅନିଚ୍ଛା ସତ୍ୱେ ଶାରୀରିକ ସମ୍ପର୍କ ରଖି ଆସୁଥିଲା ଯୁବକ । ଆଉ ବିରୋଧ କଲେ ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିଲା । ପରେ ଛାତ୍ରୀ ଜଣଙ୍କୁ ବିବାହ କରିବାକୁ ଜିଦ କରିବାରୁ ଝିଅର ପରିବାର ଲୋକେ ରୋକଠୋକ୍ ମନା କରିଦେଇଥିଲେ । ଏହାକୁ ନେଇ ସୌମ୍ୟ ପ୍ରତିଶୋଧ ପରାୟଣ ହୋଇ ଅଶ୍ଲୀଳ ସିଡିକୁ ଭାଇରାଲ କରିଦେଇଥିଲା ।
ଏନେଇ ଛାତ୍ରୀ ଜଣକ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିବାପରେ ପଟ୍ଟାମୁଣ୍ଡାଇ ପୋଲିସ ଅଭିଯୁକ୍ତ ସୌମ୍ୟରଞ୍ଜନ ସାହୁକୁ ଗିରଫ କରିବା ସହ ଅଶ୍ଳୀଳ ସିଡ଼ି କ୍ୟାସେଟ ଓ ମୋବାଇଲ ଜବତ କରିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ