କେନ୍ଦ୍ରାପଡା: ପିଲାଙ୍କୁ ବଡ଼ କରିବାକୁ ବାପାମାଆ କେତେ କଷ୍ଟ କରନ୍ତି । ଦିନରାତି ଏକ କରି ଦିଅନ୍ତି, ହେଲେ ସେହି ପିଲା ବଡ ହେଲେ ବାପାମାଆଙ୍କୁ ନିର୍ଯାତନା ଦେବାକୁ ପଛାନ୍ତି ନାହିଁ । ସମ୍ପତ୍ତି ପାଇଁ ଭୁଲିଯାଆନ୍ତି ବାପାମାଆଙ୍କ ତ୍ୟାଗ ଆଉ ବଳିଦାନକୁ । ଖାଇବା ଗଣ୍ଡାଏ ତ ଦୂରରେ ଥାଉ ସେମାନଙ୍କୁ ନେଇ ବୃଦ୍ଧାଶ୍ରମରେ ନେଇ ଛାଡ଼ି ଦେଉଥିବା ଅନେକ ଖବର ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ବଣିଆମାଳ ଅଞ୍ଚଳରୁ ଆସିଥିବା ଏକ ଖବର ସମସ୍ତଙ୍କୁ ବିଚଳିତ କରିଛି । ପାରିବାରିକ କଳହରୁ ବାପାଙ୍କୁ ଗୋଟିଏ ବନ୍ଦ କରି ରଖିଥିଲା ପୁଅ । ପୋଲିସ ଘଟଣା ବିଷୟରେ ଜାଣି ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି ।
ଦିନେ ଯେଉଁ ପୁଅ, ଝିଅ, ବୋହୁ, ନାତି ଓ ନାତୁଣୀଙ୍କୁ ନେଇ ସମ୍ପୂର୍ଣ୍ଣ ପରିବାର ଗଢ଼ିବେ ବୋଲି ସ୍ୱପ୍ନ ଦେଖିଥିଲେ ଆଜି ସେ ସ୍ୱପ୍ନ ଚୁରମାର ହୋଇଛି । ପୁଅ ଝିଅଙ୍କ ଭିତରେ କିଏ ବାପାଙ୍କୁ ରଖିବେ ତାକୁ ନେଇ ଭାଗବଣ୍ଟା ଚାଲିଛି । ୮୫ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ତାଙ୍କ ପୁଅ ଗୋଟିଏ ଘରେ ବନ୍ଦ କରି ରଖିଥିବା ଖବର ସାମ୍ନାକୁ ଆସିଛି । ପରିବାର କହିଲେ ବିବାହିତ ଝିଅ ସମେତ ଦୁଇ ପୁଅ ବୋହୂ ଓ ନାତି । ତେବେ ଦୀର୍ଘବର୍ଷ ତଳେ ପୂର୍ଣ୍ଣଙ୍କର ପତ୍ନୀଙ୍କ ବିୟୋଗ ହେବା ସହ ଗୋଟିଏ ପୁଅର ମୃତ୍ୟୁ ହୋଇଯିବାରୁ ବାପାଙ୍କୁ ଅନ୍ୟ ଦୁଇପୁଅ ଓ ଝିଅ ଚାରିମାସ ଲେଖାଏଁ ପାଖରେ ରଖିବେ ବୋଲି ସ୍ଥିର କରିଥିଲେ ।
ଏହି ଅନୁସାରେ ବଡ଼ ପୁଅ ବୋହୁଙ୍କ ପାଖରେ ପୂର୍ଣ୍ଣଚନ୍ଦ୍ର ଜାନୁଆରୀରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ରହିଥିବା ବେଳେ ଝିଅ ପାଖରେ ମେ ମାସରୁ ରହି ଆସୁଥିଲେ । ତେବେ ସାନ ପୁଅ ଗୁରୁଚରଣ ତ୍ରିପାଠୀଙ୍କ ଅକ୍ଟୋବର ମାସରୁ ବାପାଙ୍କୁ ରଖିବା ପାଇଁ ପାଳି ପଡ଼ିବାରୁ ଗୁରୁଚରଣ ବାପାଙ୍କୁ ନାନାଦି ଅକଥନୀୟ ଅତ୍ୟାଚାର ଆରମ୍ଭ କରିଥିଲେ । ଅଚଳାଚଳ ସମ୍ପତ୍ତିର ମାଲିକ ପୂର୍ଣ୍ଣଚନ୍ଦ୍ର ଅଚଳ ହୋଇଯିବାରୁ ପୁଅ ଗୁରୁଚରଣ ତାଙ୍କୁ ଗୋଟିଏ ଘରେ ୧୮ ଘଣ୍ଟା ଧରି ତାଲା ପକାଇ ରଖିଥିଲେ । ଗୁରୁଚରଣଙ୍କ ପତ୍ନୀ ଗୀତାଞ୍ଜଳି ପୋଲିସ ସହାୟତା ନମ୍ବର ୧୧୨କୁ କଲ କରି ପୂର୍ଣ୍ଣଙ୍କର ଜୀବନ ବଞ୍ଚାଇଥିବା ବେଳେ ପୋଲିସ ବୃଦ୍ଧଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିବା ସୂଚନା ମିଳିଛି ।
ଏହା ବି ପଢନ୍ତୁ...ଖାଇବା ଛଡାଇ ମାଡ ମାରିଲେ ପୁଅ-ବୋହୂ, 5KM ଚାଲି ଥାନାରେ ପହଞ୍ଚିଲେ ବୃଦ୍ଧା, ତାପରେ...
ପୂର୍ଣ୍ଣଚନ୍ଦ୍ରଙ୍କର 3 ପିଲା ଥାଇ ବି ତାଙ୍କୁ କିଏ ରଖିବା ନେଇ ମାସ ବଣ୍ଟା ହୋଇଛି । ଏହି ଘଟଣାକୁ ସ୍ଥାନୀୟ ଲୋକ ନିନ୍ଦା କରିଛନ୍ତି । ଗୁରୁଚରଣ କେବଳ ନିଜ ବାପା ପୂର୍ଣ୍ଣଚନ୍ଦ୍ରଙ୍କୁ ନୁହେଁ ବରଂ ନିଜ ସ୍ତ୍ରୀ ଓ ୧୪ ବର୍ଷର ପୁଅକୁ ତାଲା ପକାଇଥିବା ନେଇ ଗୀତାଞ୍ଜଳି ଟାଉନ ଥାନାରେ ଏତଲା ଦେଇଛନ୍ତି ।
ଇଟିିଭି ଭାରତ, କେନ୍ଦ୍ରାପଡା