କେନ୍ଦ୍ରାପଡା: ଠାକୁର କାନ୍ଧେଇ ଆସୁଥିବା ବେଳେ ରାସ୍ତାରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୋଳ ବିମାନକକୁ ଧକ୍କା ଦେଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ବିମାନ ଭାଙ୍ଗିବା ସହ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ସୂଚନା । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ-ଜମଧର ଛକ ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି(ଶନିବାର) ବାଲିଆ ପଞ୍ଚୁଦୋଳ ମେଳଣ ସାରି ଫେରୁଥିବା ବେଳେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ-ଜମଧର ଛକ ନିକଟରେ ଏକ ମାଛ ବୋଝେଇ ପିକଅପ୍ ଭ୍ୟାନ ବିମାନକୁ ଧକ୍କା ଦେଇଥିଲା । ଫଳରେ ବିମାନ କାନ୍ଧେଇ ଥିବା ବଡ଼ଗାଁର ସୋମନାଥ ସାହୁ ଓ ବାଲିଆ ଅଧିକାରୀ ସାହି ମଠର ମୁଖ୍ୟଙ୍କ ପୁଅ ଅଧିକାରୀ ଦିବ୍ୟଜ୍ୟୋତି ଦାସଙ୍କର ମୃତ୍ୟୁ ହୋଇଥିଲା ।
ସୂଚନା ଅନୁଯାୟୀ, ସ୍ଥାନୀୟ ବଣହରା ଗାଁର ଜୟନ୍ତ କୁମାର ଅଧିକାରୀଙ୍କ ଦୋଳ ବିମାନ ବାଲିଆ ମେଳଣ ସାରି ଦୁହୁରିଆ ମଠ ମେଳଣରେ ଯୋଗଦେବାକୁ ଆସୁଥିଲେ । ଦୁହୁରିଆ ମେଳଣରୁ କିଛି ଦୂରରେ କଟକ ପଟରୁ ଆସୁଥିବା ଏକ ମାଛ ବୋଝେଇ ପିକଅପ୍ ଭ୍ୟାନ ନଂ OD05AR 9309 ଧାଡିରେ ଆସୁଥିବା ପ୍ରାୟ ୧୦ଟି ବିମାନ ମଧ୍ୟରୁ ଶେଷ ବିମାନକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସୋମନାଥଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କଟକ ବଡ଼ ମେଡିକାଲରେ ଅଧିକାରୀ ଦିବ୍ୟଜ୍ୟୋତିଙ୍କର ମୃତ୍ୟୁ ଘଟିଛି ।
ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବିମାନଟି ଭାଙ୍ଗିରୁଜି ଯାଇ ରାସ୍ତା ଉପରେ ପଡିଥିବା ଦେଖିବାକୁ ମିଳିଛି । ସଦର ପୋଲିସ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନକୁ ଜବତ କରିବା କରିବା ସହ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।
ଏଠାରେ ସୂଚନାଯୋଗ୍ୟ, ରାଜ୍ୟ ରାଜପଥ ଏବେ ମରଣଯନ୍ତା ପାଲଟିଛି । ପ୍ରତ୍ୟେକ ଦିନ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ପରିବହନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକରାଯିବା କାରଣରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ଜାନୁଆରୀ ମାସରେ ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ଅଟୋ ଧକ୍କାରେ ତିନିଜଣ ଯୁବକଙ୍କ ମୃତ୍ୟୁ ହେବା ପରେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଏଯାବତ ଖୋଜି ପାଇନାହିଁ ସଦର ପୋଲିସ । ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ରାସ୍ତାର କୌଣସି ସ୍ଥାନରେ ରେଡିୟମ ନ ଲଗାଯିବା କିମ୍ବା ରାସ୍ତାରେ ଟର୍ଣ୍ଣିଂ ସୂଚନା ଦିଆନଯିବାକୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।
ଇଟିଭି ଭାରତ, କେନ୍ଦ୍ରାପଡା