କେନ୍ଦ୍ରାପଡା: ଜାନୁଆରୀ 8 ରୁ ଖୋଲିବ ସ୍କୁଲ । ଶହେ ଦିନ ପାଠପଢ଼ା ସହ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ସେପଟେ ଯେଉଁ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି ସେଠାରେ କିପରି ପାଠପଢ଼ା ହେବ ଓ ପିଲାମାନେ କିପରି ପଢିବେ ସେନେଇ ଯୁକ୍ତି ବାଢ଼ିଛି OSSTA(ଓଷ୍ଟା)। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ଆନନ୍ଦ କିନ୍ତୁ କମ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବିଦ୍ୟାଳୟ ଗୁଡିକରେ ପାଠପଢ଼ା ନେଇ ପ୍ରଶ୍ନ । ସ୍କୁଲ ଖୋଲିବା ନେଇ ପ୍ରସ୍ତୁତ ରହିଥିବା ଓ ସରକାରୀ sop ଅନୁଯାୟୀ ପାଠପଢା କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ।
ସେପଟେ OSSTA(ଓଷ୍ଟା)ର ଯୁକ୍ତି ଅନୁଯାୟୀ, ଏବେ ରାଜ୍ୟରେ ଆବଶ୍ୟକୀୟ ପରିମାଣରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇନଥିବା ବେଳେ ଏହି ପାଠପଢ଼ା କିପରି ସମ୍ଭବ ହେବ ? କେବଳ ସେତିକି ନୁହେଁ, ରବିବାର ବିଦ୍ୟାଳୟ ଖୋଲା ରହିଲେ ଏହା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମାନସିକତା ଉପରେ ପ୍ରଭାବ ପକାଇବ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଅତ୍ୟଧିକ ଚାପଗ୍ରସ୍ତ ହେବେ ବୋଲି ସଙ୍ଘ କହିଛି । ବିଦ୍ୟାଳୟ ଖୋଲୁ କିନ୍ତୁ SOP ରେ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଓଷ୍ଟାର କାର୍ଯ୍ୟକାରୀ ସଭାପତି।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସର୍ବୋଚ୍ଚ ୨୫ ଜଣ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀଗୃହରେ ବସି ପାଠପଢିବେ । ପରସ୍ପର ମଧ୍ୟରେ ୬ ଫୁଟର ଦୂରତା ରହିବ । ଏଥିସହ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ସହ ବିଦ୍ୟାଳୟ ପରିବେଶକୁ ପରିଷ୍କାର ରଖିବା ପାଇଁ SOP ଜାରି କରିଛନ୍ତି । ଏହି କାମ ପାଇଁ ଲାଗି ପଡିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ। ଶ୍ରେଣୀ କୋଠରୀ ସଫାସୁତୁରା କରିବା, ବିଦ୍ୟାଳୟ ରଙ୍ଗଦେବା, ଡେସ୍କବେଞ୍ଚ ସାମାଜିକ ଦୂରତ୍ବ ଅନୁଯାୟୀ ପକାଇବା ଭଳି କାର୍ଯ୍ୟ କରୁଛନ୍ତି। ସେହିପରି କୋରୋନା ଯୋଗୁଁ ପାଠପଢା ଦୀର୍ଘଦିନ ଧରି ବନ୍ଦ ରହିଥିବା ବେଳେ ଏବେ ବିଦ୍ୟାଳୟ ଖୋଲିବାକୁ ଯାଉଥିବାରୁ ଏହାର ଭରପୁର ଫାଇଦା ନେବା ସହ ପରିଶ୍ରମ କରି ପାଠପଢି ଭଲ ନମ୍ବର ରଖିବା ଲକ୍ଷ୍ୟ ରଖିଛନ୍ତି ଛାତ୍ରଛାତ୍ରୀ । ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବାକୁ ଯାଉଥିବାରୁ ମେଧାବୀ ଛାତ୍ରଛାତ୍ରୀମାନେ ଏହାକୁ ସ୍ବାଗତ କରିଛନ୍ତି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ