କେନ୍ଦ୍ରାପଡା: ଏକ ଘରୋଇ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ସ୍କୁଲ ଗାଡିରେ ଯାଉଥିବାବେଳେ ଘଟିଛି ଅଘଟଣ । ଗାଡି ଚାଲୁଥିବାବେଳେ ସ୍କୁଲ ଗାଡିର ଇଞ୍ଜିନରୁ ଗରମ ପାଣି ବାହାରି ଗାଡି ଆଗ ସିଟରେ ବସିଥିବା ୩ ଜଣ ଛାତ୍ର ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଇଂଲିଶ ମିଡିୟମ ସ୍କୁଲ ଗାଡିରେ ଏଭଳି ଘଟଣା ଘଟିଛି ।
ତେବେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଇଂଲିଶ ମିଡିୟମ ସ୍କୁଲକୁ ପାଠ ପଢିବା ପାଇଁ ସ୍କୁଲ ଟାଟା ମ୍ୟାଜିକ ଗାଡିରେ ଛାତ୍ରଛାତ୍ରୀ ଯାଉଥିବା ବେଳେ ତୁଳସୀପୁର ନିକଟରେ ଗାଡିର ରେଡିୱାଟର ଫାଟି ଯାଇଥିଲା । ଫଳରେ ଗାଡିରୁ ଗରମ ପାଣି ବାହାରି ଆଗ ସିଟରେ ବସିଥିବା ୩ ଜଣ ଛାତ୍ରଙ୍କ ଉପରେ ପଡି ଗାଡିଟି ଅଟକି ଯାଇଥିଲା । ଏପଟେ ଦେହ ସାରା ଫୋଟକା ହୋଇଯାଇଥିବାବେଳେ ଛାତ୍ରଛାତ୍ରୀ ଚିତ୍କାର କରି ଉଠିବାରୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମାର୍ଶାଘାଇ ମେଡିକାଲ ନେଇଥିଲେ ।
ଅପରପକ୍ଷେ ଖବର ପାଇ ଅଭିଭାବକ ଏବଂ ସ୍କୁଲର ଅଧ୍ୟକ୍ଷା ଡାକ୍ତରଖାନାରେ ପହଞ୍ଚି ଆହତ ଛାତ୍ରଙ୍କୁ ଭେଟିଥିଲେ । ସ୍କୁଲ ଅଧ୍ୟକ୍ଷା ଏହି ଅଘଟଣ ପାଇଁ ଅଭିଭାବକଙ୍କୁ ଦାୟୀ କରୁଥିବାବେଳେ ଅଭିଭାବକ ଅଧ୍ୟକ୍ଷାଙ୍କୁ ଦାୟୀ କରିଛନ୍ତି । ଏହି ଘଟଣାରେ ୩ ଜଣ ଆହତ ଛାତ୍ର ଚିକିତ୍ସିତ ହୋଇ ଘରକୁ ଫେରିଥିବାବେଳେ ଗାଡିଟିର ଫିଟନେସ୍ ନଥିବା ଜଣାପଡିଛି ।
ଅନ୍ୟପଟେ ମାର୍ଶାଘାଇ ବ୍ଲକ ଶିକ୍ଷାଧିକାରୀ ସଂପୃକ୍ତ ବିଦ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝୁଛନ୍ତି । ଘଟଣାର ତଦନ୍ତ ପରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ