କେନ୍ଦ୍ରାପଡା: ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ସୋମବାର ତୃତୀୟ ମାମଲାରେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ମାମଲାରେ ବେଲ୍ ପାଇସାରିଥିବା ସାରଥୀଙ୍କୁ ଆଜି ତୃତୀୟ ମାମଲାରେ ହାଇକୋର୍ଟ ଜାମିନ ଦେଇଛନ୍ତି । ଜାମିନ ମିଳିବା ପରେ ଖୁବଶୀଘ୍ର ବାବା ସାରଥି ଜେଲରୁ ବାହାରିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏହି ଖବର ଶୁଣିବା ପରେ ବାରିମୂଳ ଜନସାଧାରଣଙ୍କ ମନରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି ।
୨୦୧୫ ମସିହା ଅଗଷ୍ଟ ୦୮ ତାରିଖ ଦିନ ପୋଲିସ ପଞ୍ଝାକୁ ଆସିଥିଲା ଆତ୍ମଘୋଷିତ ବାବା ସାରଥୀ । ବାବାଙ୍କ କାଣ୍ଡ କାରନାମା ଓ ଆଶ୍ରମର ଅସଲି ଚେହେରା ପଦାରେ ପଡିଥିଲା । ସାରଥୀକୁ ଗିରଫ ପରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ,ବାରିମୂଳ ବାସିନ୍ଦା ଓ ବୁଦ୍ଧିଜୀବି ମହଲରୁ ଦାବି ଜୋରଦାର ହୋଇଥିଲା । ଏହା ପରେ ଗିରଫ ହୋଇଥିଲେ ବାବା । ପରେ ପରେ ବାରିମୂଳ ଆଶ୍ରମକୁ ପ୍ରଶାସନ ଓ କ୍ରାଇମବ୍ରାଞ୍ଚ ନିଜ କବଜାକୁ ନେଇଥିଲା ।
ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା'-ଝିଅଙ୍କ ପକ୍ଷରୁ ତୃତୀୟ ମାମଲା ଦାଏର ହୋଇଥିଲା । ଅଭିଯୋଗ ପରେ ଅଭିଯୋଗ ସନ୍ତୋଷକୁ ଚୌଦ୍ୱାର ଜେଲର ରଖାଯାଇଥିଲା । ତେବେ ଏହି ମାମଲାରେ ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ଏହା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ପାଇଁ ହାଇକୋର୍ଟ ସାରଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତଳ କୋର୍ଟ ଚାହିଁଲେ ଏହି ମାମଲାରେ ଅଧିକ ସର୍ତ୍ତ ରଖିପାରିବେ ବୋଲି କୋର୍ଟ କହିଛନ୍ତି।
ଏହି ଘଟଣା ପରେ କେନ୍ଦ୍ରାପଡ଼ା ବାରିମୂଳର ଜନସାଧାରଣ ଏହାକୁ ପ୍ରତିବାଦ କରିଛନ୍ତି । ୨୦୧୫ରେ ଆକ୍ରୋଶର ମଙ୍ଗ ଧରିଥିବା ପ୍ରଶାନ୍ତ ସାମଲ ଓ ବିବେକାନନ୍ଦ ଦାସ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି । ମାତ୍ର ଯଦି ସନ୍ତୋଷ ରାଉଳ ବାରିମୂଳ ଆସେ ତେବେ ପରିସ୍ଥିତି ଭୟାବହ ହେବ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ ପ୍ରଶାସନ ଦାୟୀ ରହିବ ବୋଲି ଚେତେଇଛନ୍ତି । ସନ୍ତୋଷ ଆସିଲେ ଏଠାରେ ପୁଣି ରାସ୍ତାଘାଟରେ ଟ୍ରାଫିକ ସମସ୍ୟା ରହିବ, ଲୋକେ ହଇରାଣ ହରକତ ହେବେ ବୋଲି ଅଭିଯୋଗ କରିଛନ୍ତି ଦୁଇ ଯୁବକ। ବଳଦେବଜୀଉଙ୍କ ମାଟିରେ କେବଳ ବଳଦେବଜୀଉଙ୍କ ପୂଜା କରାଯିବ ଏଠାରେ କାମିନୀ କାଞ୍ଚନ ପ୍ରବୃତ୍ତି ଚଳିବ ନାହିଁ ବୋଲି ସନ୍ତୋଷକୁ ବିରୋଧ କରି କହିଛନ୍ତି ଅଞ୍ଚଳବାସୀ ।
କେବଳ ସେତିକି ନୁହେଁ ସନ୍ତୋଷ ରାଉଳ ବିରୋଧର ବହ୍ନି ସାରା ରାଜ୍ୟରେ ପୁଣିଥରେ ଦେଖାଦେବ ବୋଲି କହିଛନ୍ତି ୨୦୧୫ରେ ସାରଥୀର ଗିରଫ ପାଇଁ ଧାରଣାରେ ବସିଥିବା ସମାଜସେବୀ ମମତା ସାମନ୍ତରାୟ । ସାରଥୀକୁ ଠକ, ବିଟପୀ, ଲମ୍ଫଟ ସହିତ ତୁଳନା କରିବା ସହ ଯଦି ସାରଥୀ ପ୍ରଭୁ ହୋଇଥାନ୍ତ । ତେବେ ସେ ନିଜେ ଦେଖାଉଥିବା ଶୈଳୀ ଯେମିତିକି ଉଭାନ ହୋଇଯିବା, ମହୁ ବିଭୁତି ଝରାଇବା ଆଦି କାହିଁକି ଜେଲରେ ଦେଖାଇପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ମମତା ।
ଆଇନଜୀବୀ ବିଧୁଭୂଷଣ ମହାପାତ୍ରଙ୍କ କହିବାନୁସାରେ ଜିଲ୍ଲାରେ ଚାଷ, ଶିଳ୍ପ ଇତ୍ୟାଦିରେ ସରକାରୀ କୋହଳ ମାନସିକତା ପାଇଁ ଲୋକେ ବିଫଳ ହେଉଥିବାରୁ ସାରଥୀ ଭଳି ଠକ ଜିଲ୍ଲାରେ ସେମାନଙ୍କର ଆସ୍ଥାନ ଜମାଇଥାନ୍ତି ଓ ଏଭଳି ଠକି ଲୋକଙ୍କୁ ଆସ୍ଥା, ଚମତ୍କାରିତା ନାଁରେ ଭୁଆଁ ବୁଲାଇଥାନ୍ତି ବୋଲି ସେ କହିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ