କେନ୍ଦ୍ରାପଡା: ଓଡିଶା ସୂଚନା ଅଧିକାର ଅଭିଯାନ(OSAA)ର କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ରଞ୍ଜନ ଦାସଙ୍କ ମୃତ୍ୟୁ ଘଟଣାକୁ ପୁରିଛି 26 ଦିନ। ଏହି ମୃତ୍ୟୁ ଘଟଣା ଉପରେ ପୋଲିସର ନୀରବତା ଓ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡକୁ ଦୁର୍ଘଟଣାଜନିତ ମୃତ୍ୟୁର ରୂପ ଦେଇ ପୋଲିସ ଚୁପ ବସିବା ପ୍ରତିବାଦରେ ଗର୍ଜିଛନ୍ତି ଜିଲ୍ଲାର ବିଭିନ୍ନ ସାମାଜିକ କର୍ମୀ ସଙ୍ଗଠନ ଓ ବୁଦ୍ଧିଜୀବି । ଏନେଇ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହାତରେ ପୋଲିସ ବିରୋଧୀ ପ୍ଲାକାର୍ଡ ଧରି ଅନୁଷ୍ଠିତ ହୋଇଛି ଏକ ବିଶାଳ ପଦଯାତ୍ରା ।
ଏହି ପ୍ରତିବାଦ ଶୋଭାଯାତ୍ରାରେ OSAA ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି, ଦଳିତ ମଞ୍ଚ ସଂଯୋଜକ ନଗେନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାରେ ହେଉଥିବା ବିଭିନ୍ନ ସରକାରୀ କଳରେ ଦୁର୍ନୀତି ଓ ରାଜନେତାମାନେ କରୁଥିବା ଦୁର୍ନୀତିର ରଞ୍ଜନ ପର୍ଦ୍ଦାଫାଶ କରିବା ସହିତ ଲୋକାୟୁକ୍ତଙ୍କ ନିକଟରେ ମାମଲା ରୁଜୁ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି।
ସେପଟେ ସାମାଜିକ କର୍ମୀ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏଥିସହ ହତ୍ୟାକାଣ୍ଡ ସମ୍ପର୍କରେ କଂଗ୍ରେସ ଓ ବିଜେପି ଭଳି ରାଜନୈତିକ ଦଳ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ଏଭଳି ଏକ ରାଲି ମାଧ୍ୟମରେ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି ଶୋଭାଯାତ୍ରାକାରୀ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ