କେନ୍ଦ୍ରାପଡା: ରାସ୍ତା ତିଆରି ନାମରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା । କଂକ୍ରିଟ ରାସ୍ତା ହେବା ତ ଦୂରର କଥା ମାଟି ମୁଠାଏ ବି ପଡିନାହିଁ । ହେଲେ ଚଞ୍ଚକତା କରି ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର କୋଇଲିପୁର ପଞ୍ଚାୟତର ତରପଦା ଗ୍ରାମବାସୀ ଆଣିଛନ୍ତି ଏପରି ଦୁର୍ନୀତି ଅଭିଯୋଗ ।
ତରପଦା ଗ୍ରାମ୍ୟ ରାସ୍ତା ଠାରୁ ହନୁମାନ ମନ୍ଦିର ଯାଏ କଂକ୍ରିଟ୍ ରାସ୍ତା ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ୍ ମାଧ୍ୟମରେ ଚଳୁ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆରଟିଆଇରୁ ତଥ୍ୟ ସଂଗ୍ରହ କରିବା ପରେ କୋଇଲିପୁର ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କନିଷ୍ଠଯନ୍ତ୍ରୀଙ୍କ ସଲା ସୁତୁତାରେ ଏହି କଂକ୍ରିଟ୍ ରାସ୍ତା ନିର୍ମାଣ ବଦଳରେ ଲକ୍ଷାଧିକ ଟଙ୍କା ହଡପ୍ କରିଥିବା ଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏ ନେଇ ରାଜକନିକା ବିଡିଓ ଏବଂ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ଆଣି ଚଞ୍ଚକତା ପୂର୍ବକ ମିଥ୍ୟା ବିଲ୍ କରି ଟଙ୍କା ହଡପ କରିଥିବା ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ବିରୋଧରେ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ତରପଦା ଗ୍ରାମବାସୀ ଦାବି କରିଛନ୍ତି ।
ଏହା ବି ପଢନ୍ତୁ...ନିର୍ବାହୀଙ୍କ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ନାଁରେ ଏତଲା
ଅନ୍ୟପଟେ କୋଇଲିପୁର ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଥିବାବେଳେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜକନିକା ବିଡିଓ କହିଛନ୍ତି । ସୂଚନାଯୋଗ୍ୟ ଏହି ରାସ୍ତାଟିକୁ କଂକ୍ରିଟ କରିବା ପାଇଁ ସରକାରୀ ଟଙ୍କା ଉଠା ଯାଇଥିଲାବେଳେ ବାସ୍ତବରେ ଏହା ଏକ ମାଟି ରାସ୍ତା ହୋଇଥିବା କ୍ୟାମେରାରେ କଏଦ ହୋଇଛି । ଏହି କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ।
ମୋଟ ୧ ଲକ୍ଷ ୪୮ ହଜାର ଟଙ୍କା ଭେଣ୍ଡରଙ୍କ (କାର୍ଯ୍ୟନିର୍ବାହୀ) ଆକାଉଣ୍ଟକୁ ଏବଂ ମନରେଗା ଯୋଜନାରେ ୧୨ ହଜାର ଟଙ୍କା ଶ୍ରମିକଙ୍କ ଆକାଉଣ୍ଟକୁ ଯାଇଥିବା ସୂଚନା ମିଳିଛି । ଏହାର ନିରପେକ୍ଷ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ଇଟିଭି ଭାରତ, କେନ୍ଦ୍ରାପଡା