କେନ୍ଦ୍ରାପଡା: ଖରସ୍ରୋତା ପ୍ରସଙ୍ଗକୁ ନେଇ ନିର୍ବାଚନୀ ବୈତରଣୀ ପାର ଲକ୍ଷ୍ୟରେ କଂଗ୍ରେସ । ଗୋଟିଏ ପଟେ ବିଜେପି ପ୍ରାର୍ଥୀ ପ୍ରଚାର ମୈଦାନରେ ଦେଖାନଥିବା ବେଳେ ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛନ୍ତି ଯୁବ କଂଗ୍ରେସ ସଭାପତି । ପ୍ରଚାର ପ୍ରସାର ଓ ଲୋକପ୍ରିୟତା କ୍ଷେତ୍ରରେ ସହଯୋଗ କରୁଛି ଖରସ୍ରୋତା ନଦୀ ପ୍ରସଙ୍ଗ । କେନ୍ଦ୍ରପଡା ରାଜକନିକା ବ୍ଲକ ୨୮ ନମ୍ବର ଜିଲ୍ଲା ପରିଷଦ ଜୋନରେ କିଛି ଏହିଭଳି ରହିଛି ରାଜନୈତିକ ପାଣିପାଗ । ୨୮ ନମ୍ବର ଜୋନରେ ବିଜେଡିରୁ ପ୍ରତାପ ବେହେରା ପ୍ରାର୍ଥୀ ହୋଇଥିବାବେଳେ ଜଣେ ଯୁବକଙ୍କ ହାତରେ ନିର୍ବାଚନୀ କମାଣ ଧରାଇଛନ୍ତି ଆଳି ବିଧାୟକ ।
ଗତବର୍ଷ ଅଗଷ୍ଟ ମାସରେ ରାଜକନିକା ଭାରିଗଦା ପଞ୍ଚାୟତରେ ନିର୍ମାଣାଧିନ ପାନୀୟଜଳ ପ୍ରକଳ୍ପକୁ ବିରୋଧ ମାମଲାରେ ୧୦ରୁ ଊର୍ଦ୍ଧ୍ବ ଲୋକ ଜେଲ୍ ଯାଇଥିଲେ । ଅନୂନ୍ୟ ଏକ ହଜାର ଲୋକଙ୍କ ନାଁରେ ମାମଲା ହୋଇଥିଲା । ଏହିସବୁ ପ୍ରସଙ୍ଗକୁ ମୁଦ୍ଦା କରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି କଂଗ୍ରେସ ପ୍ରାର୍ଥୀ ଏବଂ ନିର୍ବାଚନୀ ଏଜେଣ୍ଡାରେ କନିକା ୨୮ନମ୍ବର ଜୋନରେ ହୋଇଥିବା ବ୍ୟାପକ ଦୁର୍ନୀତି ପ୍ରସଙ୍ଗକୁ ଉପସ୍ଥାପିତ କରୁଛନ୍ତି ।
ଅନ୍ୟପଟେ ବିଜେପି ପ୍ରାର୍ଥୀ କାଁ ଭାଁ ପ୍ରତ୍ୟେକ୍ଷ କ୍ୟାମ୍ପେନିଂ କରୁଥିବାବେଳେ ଡିଜିଟାଲ ପ୍ରଚାର ଉପରେ ଅଧିକ ଫୋକସ୍ ଦେଉଛନ୍ତି । ଏହି ଜୋନରୁ ବିଜେଡିର ପ୍ରାର୍ଥୀ ହୋଇଥିବା ପ୍ରତାପ ବେହେରା ଆଳି ବିଧାୟକ ପ୍ରତାପ ଦେବ ଓ ନବୀନ ପଟ୍ଟନାୟକଙ୍କୁ ସାହାରା କରି ନିର୍ବାଚନୀ ବୈତରଣୀ ପାର ହେବା ଲକ୍ଷ୍ୟ ରଖିଛନ୍ତି ।
କଂଗ୍ରେସ ପ୍ରାର୍ଥୀ ସର୍ବଦା ଲୋକମାନଙ୍କ ପାଖରେ ଛିଡା ହେଉଥିବାରୁ ତାଙ୍କର ବିଜୟ ସୁନିଶ୍ଚିତ ବୋଲି କହୁଛନ୍ତି ମତଦାତା । ଅପରପକ୍ଷେ ନବୀନ ପଟ୍ଟନାୟକଙ୍କ ବିକାଶଧାରା ବଜାୟ ରଖି ଏହି ଜୋନରେ ବିଜେଡି ବିଜୟୀ ହେବ ବୋଲି କହିଛନ୍ତି ଅନ୍ୟ କିଛି ମତଦାତା । ୨୮ ଜୋନଟିରେ ଓଳାଭର, ବଳରାମପୁର, ପାରି ନୂଆପଡା, ହାବଳଗଣ୍ଡ, ବରୁଣା, ବରୁଣାଡିହା, ଭାରିଗଦା, ଜାଗୁଳାଇପଡା, କଣ୍ଟପଡା, ତରାସ ଓ ବାଘବୁଦାକୁ ମିଶାଇ ମୋଟ ୧୧ଟି ପଞ୍ଚାୟତ ରହିଥିବା ବେଳେ ଏଠାକାର ମୋଟ ମତଦାତାଙ୍କ ସଂଖ୍ୟା ୪୨୯୦୩ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ