କେନ୍ଦ୍ରାପଡା: ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିରୋଧରେ ଗଣଧାରଣା । ସାଧାରଣ ନାଗରିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଧାରଣାକୁ ଓହ୍ଲାଇଲେ ସିଭିଲ ସୋସାଇଟି ଓ ଓଡିଶା ସୂଚନା ଅଧିକାର ଅଭିଯାନର ସମସ୍ତ କାର୍ଯ୍ୟକର୍ତ୍ତା । ପୋଲିସ ଅଧିକାରୀଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ଗତ ୩୦ ତାରିଖରେ ଉଭୟ ଫୋରମ ଏକ ସାମ୍ବାଦିକ ସମ୍ମିଳନୀରେ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅଗଷ୍ଟ ୨ ତାରିଖରୁ ଗଣଧାରଣା ଦେବାକୁ କହିଥିଲେ ।
କେନ୍ଦ୍ରାପଡା ମାର୍ଶାଘାଇ ଥାନାରେ କାର୍ଯ୍ୟରତ ଥିବା ଅବସ୍ଥାରେ ଜ୍ୟୋତିରଞ୍ଜନ ତିନିଜଣ ସାଧାରଣ ନାଗରିକଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏହାଛଡା ସୂଚନାଧିକାର କର୍ମୀ ଆଳୟ ସାମନ୍ତରାୟଙ୍କୁ ଲୋକ ଲଗାଇ ମାଡ଼ ମାରିବା ନେଇ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଏତଲାକୁ ରୁଜୁ କରିନଥିଲା । ସେହିପରି ମନୋରଞ୍ଜନ ଦଳାଇ ନାମକ ଜଣେ ବୟସ୍କ ବ୍ୟକ୍ତି ନିଜ ସମ୍ପର୍କୀୟ ଭଉଣୀଙ୍କୁ ମାର୍ଶାଘାଇ ଥାନାକୁ ନେଇ ଯାଇଥିବା ବେଳେ ତାଙ୍କୁ ଜ୍ୟୋତିରଞ୍ଜନ ନିସ୍ତୁକ ମାଡ଼ ମାରିଲେ । ଡ଼ିଏସପି ଜ୍ୟୋତିରଞ୍ଜନଙ୍କ ମାଡରେ ମନୋରଞ୍ଜନ ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ । ତାଙ୍କ ପତ୍ନୀ କାଦମ୍ବିନୀ ଏନେଇ କେନ୍ଦ୍ରାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପର୍ଯ୍ୟନ୍ତ ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-ମାର୍ଶାଘାଇ ଆଇଆଇସିଙ୍କ ମନମାନୀ ବିରୋଧରେ ବିଜେପିର ସାମ୍ବାଦିକ ସମ୍ମିଳନୀ
ଏହା ମଧ୍ୟ ପଢନ୍ତୁ-ନକଲି ପୋଲିସର ଧରାପଡ଼ିଲା ଅସଲ ଖେଳ, ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
ଏହାପରେ ଜନୈକା ମହିଳାଙ୍କୁ ମଧ୍ୟ ମାଡ଼ ମାରିଥିଲେ ଜ୍ୟୋତିରଞ୍ଜନ । ତେବେ ତିନି ତିନୋଟି ଅଭିଯୋଗ ହୋଇଥିଲେ ମଧ୍ୟ ଆଇଆଇସି ଥିବା ଜ୍ୟୋତିରଞ୍ଜନଙ୍କ ନାମରେ ଏତଲା ରୁଜୁ ହୋଇନଥିଲା । ଅନ୍ୟପଟେ ଡ଼ିଏସପି ପାହ୍ୟାକୁ ପଦୋନ୍ନତି ପାଇ ଜ୍ୟୋତିରଞ୍ଜନ କେନ୍ଦ୍ରାପଡା ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲେ ମଧ୍ୟ ଉକ୍ତ ଥାନାର ଦାୟିତ୍ବରେ ରହି ଆକାଶ ନାଥ ନାମକ ଜଣେ ଯୁବକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏହି ଘଟଣାରେ ପୋଲିସ ଚୁପ ବସିଛି । ଏହାକୁ ନେଇ ବିଜେପି ଗତ ସପ୍ତାହରେ ଜ୍ୟୋତିରଞ୍ଜନଙ୍କୁ ବଦଳି କରିବା ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲା । ବୁଧବାର ସିଭିଲ ସୋସାଇଟି ଓ ଓସା ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି । ଯେପର୍ଯ୍ୟନ୍ତ ଜ୍ୟୋତିରଞ୍ଜନଙ୍କ ଜିଲ୍ଲାରୁ ବଦଳି ନହୋଇଛି ସେପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି କହିଛନ୍ତି ଓସାର ଜିଲ୍ଲା ଆବାହକ ପ୍ରତାପ ମହାନ୍ତି।
ଇଟିଭି ଭାରତ, କେନ୍ଦ୍ରାପଡା