କେନ୍ଦ୍ରାପଡା: ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଜିଲ୍ଲାର ଏକମାତ୍ର ଜୋନରେ ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି ଦୁଇଦଳର ପ୍ରାର୍ଥୀ । ଅନ୍ୟପଟେ ନାମାଙ୍କନ ପତ୍ର ଦାଖଲ କରି ପ୍ରଚାର ମୈଦାନକୁ ଓହ୍ଲାଇ ନାହାନ୍ତି କଂଗ୍ରେସ ପ୍ରାର୍ଥିନୀ । ଆମେ କହୁଛୁ କେନ୍ଦ୍ରାପଡ଼ା ୩୨ନଂ ଜିଲ୍ଲା ପରିଷଦ ଜୋନ କଥା । ଏହି ଜୋନ ଅଧିନରେ ଡାଙ୍ଗମାଳ, କୃଷ୍ଣନଗର, ଖମାରସାହି, ତାଳଚୁଆ, ବାଘମାରୀ, ରଙ୍ଗଣୀ, କେରୁଆପାଳ, ସାତଭାୟା, ଗୁପ୍ତି, ଈଶ୍ୱରପୁର, ଘଡ଼ିଆମାଳକୁ ମିଶାଇ ମୋଟ ୧୧ଟି ପଞ୍ଚାୟତର ୪୪୪୨୯ ଭୋଟର ଚଳିତ ପଞ୍ଚାୟତ ନିର୍ବାଚନରେ ମତଦାନ କରିବେ । ଭୌଗୋଳିକ ଦୃଷ୍ଟିକୋଣରୁ ଏହି ଜୋନ ଅଧିନରେ ଥିବା ପଞ୍ଚାୟତ ଗୁଡିକ ନଦୀକୂଳରେ ଅବସ୍ଥିତ ହୋଇଥିବା ବେଳେ ଏହି ଜୋନ ବିଶ୍ୱପ୍ରସିଦ୍ଧ ଉଦ୍ୟାନ ଭିତରକନିକାକୁ ପ୍ରତିନିଧିତ୍ୱ କରୁଛି ।
ଅନ୍ୟପଟେ ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ଓ ବନ୍ୟା ବର୍ଷକରେ ଦୁଇଥର ଲେଖାଏଁ ଦେଖୁଛି ଏହି ଜୋନ । ଟିକିଏ ଅଣ୍ଟା ସଳଖି ଛିଡା ହେବା ବେଳକୁ ପୁଣିଥରେ ପ୍ରାକୃତିକ ବିପର୍ଯ୍ୟୟ ଏମାନଙ୍କୁ ତଳିତଳାନ୍ତ କରାଇଥାଏ । ସେହିପରି ବିଭିନ୍ନ ମୌଳିକ ସମସ୍ୟାକୁ ସମାଧାନ କରିବା ଦିଗରେ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସକ ଯାଏଁ କେବଳ ପ୍ରତିଶ୍ରୁତି ଦେଉଥିବା ବେଳେ ଏଗୁଡ଼ିକୁ ପୂରଣ କରିବା ପାଇଁ କେହି ପଦକ୍ଷେପ ନିଅନ୍ତି ନାହିଁ । ସେହିପରି ଆବାସ, ରାସନ, ରାସ୍ତାଘାଟ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ଏହି ଜୋନ ବହୁ ପଛରେ ଥିବା ବେଳେ ପିସି ରୂପକ ମହାମାରୀ ଏହି ଅଞ୍ଚଳରେ ଦ୍ରୁତ ବ୍ୟାପ୍ତ । ଏଗୁଡ଼ିକୁ ପୁଞ୍ଜିଭୁତ କରି ଚଳିତ ନିର୍ବାଚନୀ ମୈଦାନରେ ଜିଲ୍ଲାର ସର୍ବ କନିଷ୍ଠା ପ୍ରାର୍ଥିନୀ ଭାବେ ବିଜେପି ଦଳରୁ ଆରତୀ ହାଁସଦା ପହଞ୍ଚି ଲୋକମାନଙ୍କ ସହଯୋଗ ଓ ଆଶିଷ ନେଉଥିବା ବେଳେ ବିଜେଡି ପ୍ରାର୍ଥୀନୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ମହିଳା ସଶକ୍ତିକରଣକୁ ନେଇ ଭୋଟ ଭିକ୍ଷା କରୁଛନ୍ତି ।
ଏହି ଆସନରୁ ଗତ ୨୦୧୨ ମସିହାରେ ଲଢ଼ି ବିଜୟୀ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଚଳିତଥର ପୁନର୍ବାର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ପ୍ରଚାର ମଇଦାନକୁ ଏଯାବତ ଓହ୍ଲାଇ ନାହାନ୍ତି । ବିଜେପି ପ୍ରାର୍ଥୀ ଆରତୀଙ୍କ ପାଇଁ ଜିଲ୍ଲା ସଭାପତି କିଶୋର ପଣ୍ଡା ନିର୍ବାଚନୀ ବୈଠକ ସାଙ୍ଗକୁ ଏହି ଆସନରୁ ଉଚ୍ଚ ଶିକ୍ଷିତା ଆରତୀ ବିଜୟୀ ହେବା ପାଇଁ ଦୃଢ଼ ଦାବିଦାର ବୋଲି କହୁଥିବା ବେଳେ ବିଜେଡି ନେତା ତଥା ପୂର୍ବତନ ରାଜନଗର ଉପାଧ୍ୟକ୍ଷ ଏହି ଆସନରୁ ବିଜେଡି ବିଜୟୀ ହେବ ବୋଲି କହିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ