କେନ୍ଦ୍ରାପଡ଼ା: "ଦୁଃଖୀ ହିଁ ଅନ୍ୟ ଜଣେ ଦୁଃଖୀର ମନ ବୁଝିପାରେ" । ଏହି ଉକ୍ତିକୁ ସାର୍ଥକ ରୂପ ଦେଇଛନ୍ତି ଡେରାବିଶ ଅଢଙ୍ଗା ଗ୍ରାମ ଜଣେ ଭିନ୍ନକ୍ଷମ ଯୁବକ ଦୀପକ ଜେନା । ଦୀପକଙ୍କୁ ଜନ୍ମରୁ ପୋଲିଓ ରୋଗ ହୋଇଥିବା ଯୋଗୁଁ ତାଙ୍କର ଗୋଡ଼ ଦୁଇଟି ଦୁର୍ବଳ ଅଟେ । ଯାହାଫଳରେ ସେ ଠିକ ଭାବେ ଚାଲିପାରନ୍ତି ନାହିଁ । ଅନ୍ୟର ସାହାରାରେ ବାଟ ଚାଲୁଥିବା ଦୀପକ କିନ୍ତୁ ସାଜିଛନ୍ତି ଆଉ କାହାର ସାହାରା । ସମାଜସେବା ପାଇଁ ସେ ଗଢିଛନ୍ତି ଏକ ସ୍ବେଚ୍ଛାସେବୀ ସଂସ୍ଥା । ଯାହାର ନାଁ ରଖିଛନ୍ତି ଆଦ୍ୟସା ଫାଉଣ୍ଡେସନ ।
ଡେରାବିଶ ବ୍ଲକର ହରିଅଙ୍କ ଜେନା ସାହିର ମାନସୀ ଜେନାଙ୍କ ସ୍ବାମୀ ମାନସିକ ଭାରସାମ୍ୟ ହରାଇ ଦୀର୍ଘ ବର୍ଷ ହେବ ଘରୁ କୁଆଡେ ଚାଲି ଯାଇଥିଲେ । ସ୍ବାମୀ ଚାଲିଯିବା ପରେ ମୁଣ୍ଡ ଗୁଞ୍ଜିବା ପାଇଁ ମାନସୀ ନିଜର ଵୃଦ୍ଧା ମାଆ ଫୁଲ ଜେନା ଓ ଦୁଇ ନାବାଳିକା ଛୁଆଙ୍କ ସହ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଥିଲେ । ତାଙ୍କ ପରିବାରକୁ ପୂର୍ବରୁ ଇନ୍ଦିରା ଆବାସ ମିଳିଥିଲେ ବି ମାନସୀଙ୍କ ବାପା ଘର ତିଆରି କରିପାରି ନଥିଲେ । ଫଳରେ ମାନସୀ ଓ ତାଙ୍କ ପରିବାର ଦୀର୍ଘ ଦିନ ହେବ ହନ୍ତସନ୍ତ ହେଉଥିଲେ । ଏ ବିଷୟରେ ଦୁଇ ବର୍ଷ ତଳେ ଦୀପକ ଓ ତାଙ୍କ ସହଯୋଗୀମାନେ ଖବର ପାଇବା ପରେ ଦୀପକଙ୍କ ପ୍ରସ୍ତାବ କ୍ରମେ ତାଙ୍କ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା କିଛି କିଛି ଟଙ୍କା ଜମା କରିଥିଲେ ।
ଏହା ମଧ୍ୟ ପଢନ୍ତୁ...ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ନରେନ୍ଦ୍ର, ବ୍ରେନ୍ ହାମ୍ରେଜ୍ ପରେ ଜୀବନ ଦୁର୍ବିସହ
ବିନ୍ଦୁ ବିନ୍ଦୁରେ ସିନ୍ଧୁ ହେବାପରି ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ଏକ ପକ୍କା ଘର ତିଆରି କରି ମାନସୀଙ୍କୁ ଦାନ କରିଛନ୍ତି । ନବ ବର୍ଷର ଭେଟି ସ୍ବରୂପ ଭିନ୍ନକ୍ଷମ ଦୀପକ ଜେନା ଅସହାୟ ସ୍ବାମୀ ପରିତ୍ୟକ୍ତା ମାନସୀ ଜେନାଙ୍କୁ ବାସଗୃହ ଦାନ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ସମାଜ ମଙ୍ଗଳ ତଥା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତୀକରଣ ଅଧିକାରୀ ମୁଖ୍ୟ ଅତିଥି ଭାବରେ ଆସି ଗୃହଦାନ କାର୍ଯ୍ୟକ୍ରମ ଦିନ ସେ ଦୀପକଙ୍କ ଏଭଳି ମହତ କାମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଦୀପକ ଜେନା ଓ ତାଙ୍କ ସ୍ବେଚ୍ଛାସେବୀ ଅନୁଷ୍ଠାନର ମହତ କାମ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ଦୃଢ଼ ମନୋବଳ ଓ ପରୋପକାରିତା ଗୁଣ ଯୋଗୁଁ ଆଜିର ଯୁବପିଢି ପାଇଁ ସେ ସାଜିଛନ୍ତି ରୋଲ ମଡେଲ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା