କେନ୍ଦ୍ରାପଡା: କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଗରିବ ଓ ଦିବ୍ୟାଙ୍ଗଙ୍କ ପାଇଁ ରହିଛି ଅନେକ ଯୋଜନା । ଏହା ଯେପରି ସିଧାସଳଖ ଲୋକଙ୍କ ପାଖରେ କିପରି ପହଞ୍ଚିବ ସେଥିପାଇଁ ସରକାରୀ ଅଧିକାରୀଙ୍କୁ ଦିଆଯାଇଛି ଦାୟିତ୍ବ। ହେଲେ ଆଜି ବି ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ସରକାରୀ ଘର ପାଲଟିଛି ଦିବାସ୍ବପ୍ନ।
ଫଟା କାନ୍ଥ ଆଉ ଉପରେ ଆକାଶ ଦେଖାଯାଉଥିବା ଚାଳ ଛପର । ଏହାରି ଭିତରେ ମୁଣ୍ଡ ଗୁଞ୍ଜି ଯେମିତି ସେମିତି ଚଳିଯାଉଛି ଦିବ୍ୟାଙ୍ଗ କବିତା। ବାପା ମା' ଛେଉଣ୍ଡ ଦିବ୍ୟାଙ୍ଗ ଝିଅଟି । ବହୁଦିନ ପୁର୍ବରୁ ବାପା ଓ ମା'ଙ୍କ ସହ ମାମୁଁଘରକୁ ଆସି ରହିଯାଇଥିଲା । ଗତ 10ବର୍ଷ ତଳେ ବାପା ଆରପାରିକୁ ଚାଲିଯାଇଥିବା ବେଳେ ମା' ମୂଲଲାଗି ଯାହା ଅର୍ଜନ କରୁଥିଲେ ସେଥିରେ ଚଳିଯାଉଥିଲା ଅଭାବୀ ସଂସାର। ଗତବର୍ଷ ମା'ର ମୃତ୍ୟୁପରେ ବେସାହାରା ହୋଇପଡିଛି ସେ।
ଖାଇବାକୁ ସରକାରୀ ଭାବେ ମାସକୁ 35 କିଲୋ ଚାଉଳ ମିଳୁଛି ହେଲେ ଏହାକୁ କିଣିବା ପାଇଁ ମାନସିକ ଭିନ୍ନକ୍ଷମ କବିତା ପାଖରେ ଆର୍ଥିକ ସମ୍ବଳ ନାହିଁ । ଗାଁ ଲୋକେ ଯିଏ ଯେତେବେଳେ ଓଳିଏ ଖାଇବାକୁ ଦେଲେ ତାକୁ ଖାଇ ରହିଯାଇଥାନ୍ତି ସେ । ସେପଟେ ମାମୁଁ, ମାଇଁ ଦୃଷ୍ଟିଶକ୍ତି ବ୍ୟାଧିତ ବ୍ୟକ୍ତି ହୋଇଥିବାରୁ ତାଙ୍କ ଅଭାବୀ ସଂସାର ଚଳାଇବା ତାଙ୍କ ପାଇଁ କାଠିକର ପାଠ । ସରକାରୀ ସ୍ତରରେ ଗରିବ ତଥା ଦିବ୍ୟାଙ୍ଗଙ୍କ ପାଇଁ ଉର୍ଦ୍ଦିଷ୍ଟ ସାହାଯ୍ୟ ସହାୟତା ଅପହଞ୍ଚ ହୋଇପଡିଛି ପ୍ରମାଣପତ୍ର ଥିବା ଦିବ୍ୟାଙ୍ଗ କବିତା କ୍ଷେତ୍ରରେ।
କବିତା ଗାଁ ଛାଡି ଯିବା ପାଇଁ ଅମଙ୍ଗ ହେଉଥିବାରୁ ତାକୁ କୌଣସି ଆଶ୍ରୟଗୃହ ସ୍ଥାନରେ ଛାଡିବା ସମ୍ଭବ ହେଉନଥିବା କହିଛନ୍ତି ଗ୍ରାମର ଜଣେ ବାସିନ୍ଦା । ସେହିପରି ଆଜିକାଲିର ସମୟରେ ଜଣେ ବଢ଼ିଲା ଝିଅ ଏଭଳି ଭଙ୍ଗାଘରେ ରହିବା ସତରେ ସରକାରୀ ବିଫଳତାର ଉଦାହରଣ । ତେବେ ବିଦ୍ୟାଙ୍ଗ କବିତାକୁ ସରକାରୀ ସହାୟତା ସ୍ବରୂପ ଦିବ୍ୟାଙ୍ଗ ଭତ୍ତା ଓ ସରକାରୀ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘରଟିଏ ଦେବାପାଇଁ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଡେରାବିଶ୍ ବିଡ଼ିଓ ଗୋପବନ୍ଧୁ ଭୋସାଗରଙ୍କୁ ଯୋଗାଯୋଗ କରିବାରୁ ସେ କବିତାଙ୍କୁ ସହାୟତାର ପ୍ରତିଶୃତି ଦେଇଥିଲେ ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିନଥିଲେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ