କେନ୍ଦ୍ରାପଡ଼ା: ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରାଥମିକ କୃଷି ସମବାୟ ସମିତିରେ ହେବାକୁ ଥିବା ନିର୍ବାଚନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ପ୍ରାଥମିକ କୃଷି ସମବାୟର ନିର୍ବାଚନ ଅଧିକାରିଣୀ ମଞ୍ଜୁଲତା ଦାସ । ପଟ୍ଟାମୁଣ୍ଡାଇ ପ୍ରାଥମିକ କୃଷି ସମବାୟ ସମିତିରେ ହେବାକୁଥିବା ନିର୍ବାଚନରେ ହୋଇଥିବା ବିଭିନ୍ନ ଚଞ୍ଚକତା ତଥା ସମବାୟ ବ୍ୟାଙ୍କରେ ଦୀର୍ଘଦିନ ଧରି ଋଣ ଖିଲାପକାରୀମାନେ ପ୍ରାର୍ଥୀ ଭାବେ ନିଜର ନାମାଙ୍କନପତ୍ର ଦାଖଲ କରିଥିବା ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଅଭିଯୋଗ କରିଥିଲା । ଏନେଇ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି ।
ତେବେ ଆଜି(ଗୁରୁବାର) ନିର୍ବାଚନ ଯାଞ୍ଚ ପ୍ରକ୍ରିୟା ଥିବାବେଳେ ପଟ୍ଟାମୁଣ୍ଡାଇ ପୌର ପରିଷଦର ସମସ୍ତ ବିଜେଡି କାଉନସିଲର ପଟ୍ଟାମୁଣ୍ଡାଇ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପୂର୍ବରୁ ପୋଲିସ ତରଫରୁ ପଟ୍ଟାମୁଣ୍ଡାଇ ପ୍ରାଥମିକ କୃଷି ସମବାୟ ସମିତି କର୍ଯ୍ୟାଳୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ଓ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଅଧିକାରିଣୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଅନ୍ୟପଟେ ପଟ୍ଟାମୁଣ୍ଡାଇ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଅନୁପସ୍ଥିତ ଦେର୍ଶାଇ ଚଳିତ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ନିର୍ବାଚନ ଅଧିକାରିଣୀ । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗକୁ ଆଧାର କରି ଏକ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ଦିଆଯାଇ ଥିବାବେଳେ ଆଗାମୀ ଦିନରେ କିଭଳି ନିର୍ବାଚନ କରାଯିବ ତାହା ବିଭାଗୀୟ ଅଧିକାରୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପ୍ରାଥମିକ କୃଷି ସମବାୟର ନିର୍ବାଚନ ଅଧିକାରିଣୀ ମଞ୍ଜୁଲତା ଦାସ । ଅନ୍ୟପଟେ ଏହି ଚଞ୍ଚକତାରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହୋଇଛି ।
ଇଟିଭି ଭାରତ, କେନ୍ଦ୍ରାପଡା