କେନ୍ଦ୍ରାପଡ଼ା: ସୁନ୍ଦର ବିମାନରେ ସଜେଇ ହୋଇ ଆସୁଛନ୍ତି ପ୍ରଭୁ ଲଛମନଜୀଉ । ଘଣ୍ଟ ଘଣ୍ଟା, ହୁଳହୁଳି ସାଙ୍ଗକୁ ପାରମ୍ପରିକ ନୃତ୍ୟରେ କମ୍ପି ଉଠୁଛି ପୁରା ପରିବେଶ । ପ୍ରଭୁଙ୍କୁ ସ୍ବାଗତ କରିବା ପାଇଁ ଘରେଘରେ ଅଙ୍କା ଯାଇଛି ଝୋଟିଚିତା । ଚାରି ଭାଇଙ୍କ ଭେଟ ହେବା ପରେ ଆରମ୍ଭ ହେବା ଫଗୁ ଖେଳ । ଦର୍ଶନ ଦେବେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି । ଆଉ ଭକ୍ତଙ୍କ ଏକତ୍ରୀକରଣର ଅପୂର୍ବ ସମ୍ଭାର ଦେଖିବାକୁ ମିଳିବ । ସାରା ଭାରତରେ ହୋଲି ଗତ ବୁଧବାର ଦିନ ପାଳିତ ହୋଇଛି । କିନ୍ତୁ ପରମ୍ପରା ଓ ବିଧି ମୁତାବକ କେନ୍ଦ୍ରାପଡ଼ା ସହର ସମେତ ଜିଲ୍ଲା ସଦର ମହକୁମାକୁ ଲାଗିରହିଥିବା ଅଞ୍ଚଳ ଗୁଡିକରେ ଦୋଳ ପୂର୍ଣ୍ଣିମାର ପଞ୍ଚମ ଦିନରେ ଅର୍ଥାତ ଶନିବାର ପାଳିତ ହୋଇଛି ହୋଲି ଉତ୍ସବ,ଯାହାକୁ "ପଞ୍ଚୁଦୋଳ"କୁହାଯାଏ ।
'ଛାମୁ' ଅର୍ଥାତ କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ଆଗରେ ଏଭଳି ନିଆରା ମେଳଣ ହେଉଥିବାରୁ ଏହାକୁ ଛାମୁ ମେଳଣ କୁହାଯାଏ । କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉ ରଙ୍ଗ ଖେଳିବା ପରେ ଜିଲ୍ଲାରେ ରଙ୍ଗର ପର୍ବ ହୋଲି ପାଳନ କରାଯାଏ। ଏଭଳି ପରମ୍ପରା ବହୁ ପୁରାତନ କାଳରୁ ରହିଆସିଛି । ଦୋଳ ପୂର୍ଣ୍ଣିମା ଯିବାର ଚାରିଦିନ ପରେ ବଳଦେବଜୀଉଙ୍କ ରଥ ଦାଣ୍ଡରେ "ଛାମୁ ମେଳଣ" ଅନୁଷ୍ଠିତ ହୋଇଥାଏ । ମେଳଣର ମୁଖ୍ୟ ଆକର୍ଷଣ କୁଶିଆପାଳ ବାଲିପାଟଣାରେ ପୂଜା ପାଉଥିବା ପ୍ରଭୁ ଲଛମନଜୀଉ ଶୋଭାଯାତ୍ରା । ତାଙ୍କ ଶୋଭାଯାତ୍ରା ବା ହାରି ବିଭିନ୍ନ ସ୍ଥାନରେ ଭୋଗଖାଇ ପୁରୁଣା ମଟର ଷ୍ଟାଣ୍ଡରେ ହେଉଥିବା ମେଳଣରେ ଯୋଗଦେଇ ବଳଦେବଜୀଉଙ୍କର ଛାମୁ ମେଳଣରେ ପହଞ୍ଚିଥାଆନ୍ତି । ଲଛମନଜୀଉ ଓ ରାମଜୀଉଙ୍କ ସହ ଭରତ ଓ ଶତ୍ରୁଘ୍ନ ମହାପ୍ରଭୁ ବଳଦେବଜୀଉଙ୍କ ସାମ୍ନାରେ ବସିବା ପରେ ଏହି ମେଳଣ ଆରମ୍ଭ ହେଉଥିବାରୁ ଏହାକୁ "ଛାମୁ ମେଳଣ" ମଧ୍ୟ କୁହାଯାଇଥାଏ । ଏହି ମେଳଣରେ ପାଖାପାଖି ୪୦ରୁ ଊର୍ଦ୍ଧ୍ଵ ବିମାନ ଯୋଗଦେଇଥାନ୍ତି । ଏହି ପରମ୍ପରା ମରହଟ୍ଟା ଶାସନ କାଳରୁ ଚାଲି ଆସୁଥିବା ଇତିହାସ ଓ କିମ୍ବଦନ୍ତୀ କହେ ।
ଲଛମନଜୀଉ ଓ ରାମଜୀଉ ଉଭୟ ବଳଦେବଜୀୟୁଙ୍କ ପାଖରେ ରଙ୍ଗ ଲାଗି କରିବାପରେ କେନ୍ଦ୍ରାପଡ଼ା ସହରରେ ଆରମ୍ଭ ହୋଇଥାଏ ରଙ୍ଗ ଖେଳ । ଦେଶ ସମୁଦାୟ ଗୋଟିଏ ଦିନରେ ରଙ୍ଗର ପର୍ବ ହୋଲି ପାଳନ କରୁଥିବା ଆଜିର ଦିନରେ ହୋଲି ପାଳନ୍ତି କେନ୍ଦ୍ରାପଡ଼ାବାସୀ । ଏହି ଅବସରରେ ଗାଁଠୁ ସହର ଚାରିଆଡ଼େ ଉତ୍ସବମୁଖର ହୋଇଉଠେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଖେଳିଥାନ୍ତି ରଙ୍ଗ, ଯାହା ଭାଇଚାରାର ଅନନ୍ୟ ଉଦାହରଣ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା