କେନ୍ଦ୍ରାପଡା: ଆଗକୁ ସାଧାରଣ ନିର୍ବାଚନ । ନିଜନିଜର ବହୁବିଧ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇ ଦାବି ପୂରଣ ପାଇଁ ଅଣ୍ଟା ଭିଡ଼ିଲେଣି ବିଭିନ୍ନ ସରକାରୀ ସଙ୍ଗଠନ । ପୂର୍ବରୁ ଅମଲା ସଂଘ ଦୁଇ ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ବେଳେ ଏବେ ସେହି ପଥର ପଥିକ ସାଜିଛନ୍ତି ନିଖିଳ ଓଡିଶା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ସଦସ୍ୟ । 2 ଦଫା ଦାବି ନେଇ ଜିଲ୍ଲାର ଡେରାବିଶ୍ ବ୍ଲକ ଅଧିନରେ ଥିବା ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗତକାଲି ଠାରୁ କଳା ବ୍ୟାଚ୍ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ରାଜ୍ୟ ସରକାର ବିହୀତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ତେବେ ସେମାନଙ୍କ 2ଦଫା ଦାବି ଅନୁଯାୟୀ, ନିଯୁକ୍ତି ସମୟରେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ପରିବର୍ତ୍ତନ, କ୍ୟାଡର ନିୟମ ପରିବର୍ତ୍ତନ ସମେତ ଦରମା ହାର ପରିବର୍ତ୍ତନ କରିବା ସହ ଉଚିତ କାମରେ ସେମାନଙ୍କୁ ସୁରକ୍ଷା ଦେବା ନେଇ ଦାବି ଉଠିଛି । ଦୀର୍ଘ ୨୫ ବର୍ଷ ଧରି ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ସେମାନଙ୍କ କାମକୁ ସୁଚାରୁରୂପେ ତୁଲାଇ ଆସୁଥିବା ବେଳେ ରାଜ୍ୟ ସରକାର ସେମାନଙ୍କ କୌଣସି ଦାବିକୁ ଅଦ୍ୟାବଧି ପୂରଣ କରିନାହାନ୍ତି।
ସେହିପରି ପଞ୍ଚାୟତର ଭତ୍ତାଠାରୁ ଆରମ୍ଭ କରି ଆବାସ ଯୋଜନା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସୁଚାରୁରୂପେ କରି ଆସୁଥିଲେ ମଧ୍ୟ ଅନେକ ସମୟରେ ଅସାମାଜିକ ଲୋକଙ୍କ ଆକ୍ରୋଶର ଶିକାର ହେଉଥିବା ନିର୍ବାହୀ ଅଧିକାରୀମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ମିଳି ପାରୁନାହିଁ। ଯାହାକୁ ନେଇ କଳାବ୍ୟାଚ୍ ପିନ୍ଧି ସରକାରୀ ବ୍ୟବସ୍ଥାକୁ ବିରୋଧ ସହ ସେମାନଙ୍କ ଦାବିକୁ ପୂରଣ କରିବା ପାଇଁ ଦାବି କରିଛନ୍ତି । ଏଥିସହ ସାଧାରଣ ଲୋକଙ୍କ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ, କିନ୍ତୁ ସରକାର ଯଦି ଦାବିକୁ ନଶୁଣନ୍ତି ତେବେ ଆସନ୍ତା ୧୮ ତାରିଖରୁ ନିର୍ବାହୀ ଅଧିକାରୀମାନେ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି ନିର୍ବାହୀ ଅଧିକାରୀ ଜିଲ୍ଲା ସଭାପତି । ଏହି ଆନ୍ଦୋଳନରେ ଜିଲ୍ଲା ସମ୍ପାଦକ ନିହାର ରଞ୍ଜନ ଥାଟୋଇ,ସଦସ୍ୟ ଜଗନ୍ନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଏହା ମଧ୍ୟ ପଢନ୍ତୁ- କଳା ବ୍ୟାଚ୍ ପରିଧାନ ସହ ପିଇଓ ସଂଘର ପ୍ରତିବାଦ, ସାମୂହିକ ଛୁଟିରେ ଯିବାକୁ ଚେତାବନୀ
ଏଠାରେ ସୂଚନାଯୋଗ୍ୟ, ଏହି ନିର୍ବାହୀ ଅଧିକାରୀମାନେ ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା କୌଣସି ମହାମାରୀ ହେଉ ସମସ୍ତ କାର୍ଯ୍ୟରେ ଆଗରେ ଥିବା ବେଳେ ସରକାର ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଦୀର୍ଘଦିନରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିଲେ ।
ଇଟିଭି ଭାରତ, କେନ୍ଦ୍ରାପଡା