ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଗସ୍ତ ପୂର୍ବରୁ ଓଡିଶାରେ ଆଳୁ କଷଣ । ଓଡିଶା ମାର୍କେଟରେ ଦେଖା ଦେଲାଣି ଆଳୁ ଟେନ୍ସନ । ପୁଣି 3 ମାସ ପରେ ଦେଖା ଦେଇଛି ଆଳୁ ସମସ୍ୟା । ଗତକାଲି ରାତିରୁ ପଡୋଶୀ ରାଜ୍ୟକୁ ଆଳୁ ଯୋଗାଣ ଉପରେ କଟକଣା ଲଗାଇଛି ପଶ୍ଚିମବଙ୍ଗ ସରକାର । ପଶ୍ଚିମବଙ୍ଗ-ଓଡିଶା ସୀମାରେ ଅଟକି ରହିଛି ଓଡିଶାର 200ରୁ ଅଧିକ ଆଳୁ ଟ୍ରକ । ଓଡିଶା ମାର୍କେଟରେ ରହିଛି ଆଜିକ ପାଇଁ ଆଳୁ । ଶୀତଳ ଭଣ୍ଡାର ଖାଲି ଥିବା ବେଳେ ୟୁପି ଆଳୁ ଉପରେ ଭରସା । ଆଳୁ ଯୋଗାଣ ସ୍ୱାଭାବିକ କରିବାକୁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଦାବି କଲା ବ୍ୟବସାୟୀ ସଂଘ ।
ପୁଣି କଟକଣା ଲାଗୁ କଲେ କି ମମତା ସରକାର ?
ପଡୋଶୀ ରାଜ୍ୟ ଓଡ଼ିଶାକୁ ଆଳୁ ପଠାଇବା ଉପରେ କଟକଣା ଲାଗୁ କଲେ କି ଦିଦି ? ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଲା ଶତାଧିକ ଆଳୁ ବୋଝେଇ ଟ୍ରକ୍ । ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ନାକା ଯାଞ୍ଚ ଜାରି ରହିଛି । ପଶ୍ଚିମବଙ୍ଗ ସୀମାରେ ପୁଣି ଅଟକିଛି ଆଳୁ ଗାଡ଼ି । ରାତିରୁ ଆଳୁ ଗାଡ଼ି ଅଟକି ରହିଛି । ଆଳୁ ଗାଡ଼ିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୋଲିସ ।
ଏହା ବି ପଢନ୍ତୁ-ରାଜ୍ୟରେ ରହିବନି ଆଳୁ ସଙ୍କଟ, 'ଆଳୁ ମିଶନ' ମାଧ୍ୟମରେ ଉତ୍ପାଦନ ହେବ ତିନି ଗୁଣ
ପୁଣି ଅଟକିଲା ଆଳୁ ଗାଡ଼ି-
- ଅଣାୟତ ହେବ କି ଆଳୁ ସଂକଟ
- ଆଳୁ ଗାଡି ମମତା ସରକାର ଅଟକାଇବା ପରେ ରାଜ୍ୟରେ ପୁଣି ଅଣାୟତ ହେବ କି ଆଳୁ ସଂକଟ ?
- ରାଜ୍ୟରେ ଫେବୃଆରୀରେ ହେବ ଅମଳ
- ଆଗାମୀ 3 ମାସ କେମିତି ସରକାର ମେଣ୍ଟାଇବେ ଆଳୁ ସମସ୍ୟା
ପୁଣି ଆଳୁ ଟ୍ରକ ଛାଡିଲାନି ପଶ୍ଚିମବଙ୍ଗ, ଫେରିଲା ଶତାଧିକ ଆଳୁ ଟ୍ରକ-
ପୁଣି ଆଳୁ ଉପରେ ରୋକ ଲଗାଇଲା ପଶ୍ଚିମବଙ୍ଗ । ଓଡିଶାକୁ ଆଳୁ ରପ୍ତାନୀ ହେଉଥିବା ବେଳେ ନାକା ପଏଣ୍ଟ କରି ଆଳୁ ଟ୍ରକ ଅଟକ ରଖିବା ସହ ସେସବୁ ପୁଣି ପଶ୍ଚିମବଙ୍ଗ ଫେରାଇ ନିଆଯାଇଥିବା ଜଣାପଡ଼ିଛି । ଗତ ଜୁଲାଇ ମାସରେ ସେମିତି ଆଳୁ ଟ୍ରକ ଫେରାଇ ନେବା ଭଳି ଘଟଣା ଘଟିଥିବା ବେଳେ ଏବେ ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମିତି କାର୍ଯ୍ୟ ରାଜନୈତିକ ଦିଗ ଆଡକୁ ଇଙ୍ଗିତ କରୁଛି । ଭୋର ତିନିଟା ପାଖରୁ ଆଳୁ ଟ୍ରକ ଗୁଡିକ ପଶ୍ଚିମବଙ୍ଗ ବେଲଦା ନାରାୟଣଗଡ଼ ରାଜରାସ୍ତାରେ ଶହ ଶହ ଆଳୁ ଟ୍ରକ ପୋଲିସ ଅଟକ ରଖିଥିଲା। ଶେଷରେ ରପ୍ତାନି କମ୍ପାନୀ ଆଳୁ ଟ୍ରକ ଫେରାଇ ନେଇଥିବା ଜଣାପଡିଛି। ଅନ୍ୟପଟେ ବଜାରରେ ବର୍ତ୍ତମାନ ଆଳୁ କିଲୋ ପ୍ରତି 30ରୁ 35 ଟଙ୍କା ଲେଖାଏଁ ବିକ୍ରି ହେଉଥିବା ବେଳେ ଏମିତି ଆଳୁ ଟ୍ରକ ଫେରାଇନେବା ପରେ ଡର ବୃଦ୍ଧି ନେଇ ଆଶଙ୍କା କରାଯାଉଛି।
ତେବେ ଜଣେ ଆଳୁ ଟ୍ରକ ଡ୍ରାଇଭରଙ୍କ କହିବା ଅନୁସାରେ, "ଆଳୁ ଲୋଡ଼ କରି ରାତି ତିନିଟା ବେଳେ ଆସିଲୁ, ରାସ୍ତାରେ ପୋଲିସ ଗେଟ ଲଗେଇକି ଆଳୁ ଟ୍ରକ ଓଡିଶାକୁ ନ ନେଇଯିବା ପାଇଁ କହିଥିଲେ। ପୁଣି ଥରେ ଆଳୁ ଟ୍ରକ ନେଇ ପଶ୍ଚିମବଙ୍ଗ ଫେରିଯିବା ପାଇଁ ମଧ୍ୟ କହିଥିଲେ। ସେଠାରୁ ଏମିତି କହି ଗାଡ଼ି ପଛକୁ କରିଦେଇଥିଲେ। ଆମେ ପଛକୁ ଆସି ଏଇଠି ଠିଆ ହୋଇଛୁ। ଆମର ଆଳୁ ପାର୍ଟିକୁ ଫୋନ କରିଥିଲୁ ସେ ଯାହା କହିବେ ଆମେ ସେମିତି କରିବୁ। ଏଠାରେ ବର୍ତ୍ତମାନ 10ରୁ ଅଧିକ ଗାଡ଼ି ଅଛି, ଟୋଲଗେଟ ଆଉ ଖଡ଼ଗପୁରରେ ବହୁତ ଗାଡି ଅଟକିଛି। ଆଳୁ ଟ୍ରକ ନ ନେଇ ଯିବାପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆମକୁ କହୁଛନ୍ତି। ଯେଉଁଠୁ ଆଣିଥିଲ ସେଇଠି ନେଇକି ପୁଣି ଆଳୁ ଅନଲୋଡ଼ କରିବା ପାଇଁ କହିଲେ।"
ଆଳୁ ଟ୍ରକ ରୋକିବା ଘଟଣାରେ ଭାଇ-ଭଉଣୀ ସମ୍ପର୍କକୁ ଦାୟୀ କଲେ ମନ୍ତ୍ରୀ
ପଶ୍ଚିମ ବଙ୍ଗ ଆଳୁ ଆମଦାନୀ ବନ୍ଦ କରିବା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଆଳୁ ଟ୍ରକ ବନ୍ଦ ନେଇ ନବୀନଙ୍କ ଆଡକୁ ଦୋଷ ଠେଲିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆଳୁ ଟ୍ରକ ରୋକିବା ଘଟଣାରେ ଭାଇ ଭଉଣୀ ସମ୍ପର୍କକୁ ଦାୟୀ କଲେ ମନ୍ତ୍ରୀ । "ପଶ୍ଚିମ ବଙ୍ଗ କାହିଁକି ବାରମ୍ବାର ଏଭଳି କରୁଛି ମୁଁ ଜାଣିନାହିଁ । ଭାଇ କହିଥିବେ ବୋଲି ଭଉଣୀ ବନ୍ଦ କରିଥିବେ କିମ୍ବା ଭାଇ ଚିଠି ଲେଖିଥିବେ, ସେଥିପାଇଁ ଆଳୁ ଦେଉନାହାନ୍ତି । ତେବେ କଣ ପାଇଁ ବନ୍ଦ କରାଯାଇଛି ଅନୁଧ୍ୟାନ କରିବି । ଆମେ ପ୍ରତିଶୃତି ଦେଉଛୁ, ଖାଉଟିଙ୍କ କୌଣସି ଅସୁବିଧା ହେବ ନାହିଁ । ଆମେ ଆଳୁ ପାଇଁ ଅନ୍ୟ ରାଜ୍ୟ ସହ ଆଲୋଚନା କରୁଛୁ । ଆଜି ସନ୍ଧ୍ୟାରେ ମଧ୍ୟ ଏନେଇ ବୈଠକ ଅଛି," ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ସୂଚନା ଥାଉ କି ପଶ୍ଚିମବଙ୍ଗରୁ ଦୈନିକ ଶହ ଶହ ଆଳୁ ଟ୍ରକ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଆସେ । ପଶ୍ଚିମବଙ୍ଗର ଆଳୁ ଉପରେ ଓଡ଼ିଶାରେ ନିର୍ଭର କରେ । ପଶ୍ଚିମବଙ୍ଗରୁ ଆଳୁ ଗାଡି ଆସିବାରେ ବାଧା ସୃଷ୍ଟି ହେଲେ ଓଡ଼ିଶାରେ ଆଳୁ ଅହେତୁକ ଦର ବୃଦ୍ଧି ପାଏ । ପଶ୍ଚିମବଙ୍ଗ ରୁ ଆଳୁ ଗାଡି ଓଡ଼ିଶା ଆସିବାରେ ଅସୁବିଧା ହେବାରୁ ଓଡ଼ିଶାରେ ଆଳୁ ଦର ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଆଳୁ ସଂକଟ ପାଇଁ ଆଳୁ ମିଶନ-
"ରାଜ୍ୟରେ ଆଉ ରହିବନି ଆଳୁ ସଙ୍କଟ । ଏଣିକି ରାଜ୍ୟରେ 'ଆଳୁ ମିଶନ' ଜରିଆରେ ଉତ୍ପାଦିତ ହେବ ତିନି ଗୁଣ ଆଳୁ । ଚାଷୀଙ୍କୁ ଆଳୁ ବିହନ ବଣ୍ଟନ ଜାରି ରହିଥିବା ନେଇ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ରାଜ୍ୟରେ ଆଳୁର ଚାହିଦା ଅଧିକ ଥିବା ବେଳେ ଉତ୍ପାଦନ କମ ରହି ଆସିଛି । ଆଳୁ ପାଇଁ ରାଜ୍ୟକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ତେବେ ଆଗକୁ ଯେମିତି ଆଳୁ ସଙ୍କଟ ରାଜ୍ୟରେ ହେବ ନାହିଁ, ତା ପାଇଁ ସରକାର 'ଆଳୁ ମିଶନ' ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ଚାଷୀଙ୍କୁ ଆଳୁ ବିହନ ବଣ୍ଟନ କରାଯାଇଛି," ବୋଲି ସୂଚନା ଦେଇଥିଲେ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କରିଛନ୍ତି ।
ଉତ୍ତର ପ୍ରଦେଶରୁ ଟ୍ରେନରେ ଆସିବ ଆଳୁ:
ରାଜ୍ୟରେ 3 ମାସ ତଳେ ଦେଖାଦେଇଥିବା ଆଳୁ ସଙ୍କଟରେ ଯବନିକା ପକାଇବା ଏବଂ ରାଜ୍ୟ ସରକାର ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଥିଲେ । ପୂର୍ବରୁ ଟ୍ରକ ଯୋଗେ ଉତ୍ତରପ୍ରଦେଶରୁ ଆଳୁ ଆସୁଥିଲା । ହେଲେ ଏବେ ଟ୍ରେନରେ ଆଳୁ ଆଣିବାକୁ ଯୋଜନା କରାଯାଉଥିବା ସେବେ ସୂଚନା ମିଳିଥିଲା । ଉତ୍ତର ପ୍ରଦେଶରୁ ୨ଟି ଟ୍ରେନ୍ରେ ଆଳୁ ଆଣିବାକୁ ସରକାର ଯୋଜନା କରିଥିଲେ ।
ଏହା ବି ପଢନ୍ତୁ- ଓଡ଼ିଶା ମାର୍କେଟରେ ଆଳୁ ଗାଏବ; ମମତାଙ୍କୁ ଚିଠି ଲେଖିଲେ ନବୀନ - Naveen writes letter to WB CM
ଦିଦିଙ୍କ ସହିତ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆଳୁ ସଂକଟ ଦୂର ପାଇଁ 3 ମାସ ତଳେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ମମତା ବାନାର୍ଜୀ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଆଳୁ ପାଇଁ ମମତାଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ-
ରାଜ୍ୟର ବିଭିନ୍ନ ମାର୍କେଟରେ ହଠାତ ଆଳୁ 3 ମାସ ତଳେ ଗାଏବ ହୋଇଯିବା ପରେ ହସ୍ତକ୍ଷେପ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ତକ୍ଷେପ କରି ଆଳୁ ଯୋଗାଣ ସ୍ବାଭାବିକ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ ନବୀନ ।
ପୁଣି ଦେଖାଦେବ କି ଆଳୁ ସମସ୍ୟା-
ରାଜ୍ୟ ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, "ଚଳିତ ବର୍ଷ ପାଗର ଅନିୟମିତତା ଦେଖା ଦେଇଛି । ଶୀତ ପଡିବାରେ ଚଳିତ ଥର ପ୍ରାୟ ମାସେ ବିଳମ୍ବ ହୋଇଛି । ଆଳୁର ଗୋଟି ଧରିବା ଲାଗି ତାପମାତ୍ରା 15 ଡିଗ୍ରୀ ସେଲସିଏସ ତଳେ ରହିବା ଦରକାର । ଶୀତ ବିଳମ୍ବ ହୋଇଥିବାରୁ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ପଦକ୍ଷେପ ନେଇଛନ୍ତି । ପଶ୍ଚିମବଙ୍ଗ ସରକାର ରାଜ୍ୟର ଆବଶ୍ୟକତା ଚାହିଦାକୁ ଦୃଷ୍ଟିରେ ରଖି ଆଳୁ ରପ୍ତାନୀ ଉପରେ ନିୟନ୍ତ୍ରଣ କରିଛନ୍ତି । ଅବଶ୍ୟକରୁ ଅଧିକ ହେଲେ ଅନ୍ୟ ରାଜ୍ୟକୁ ଆଳୁ ଦିଆଯିବ, ନହେଲେ ରପ୍ତାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଭଳି ପରିସ୍ଥିତିରେ ଆଳୁ ରପ୍ତାନୀ ଉପରେ ଏକ ମୌଖିକ ପ୍ରତିବନ୍ଧକ ଲଗାଇଛନ୍ତି । ଏହାର କୌଣସି ଲିଖିତ ଅର୍ଡର ନାହିଁ । ଫଳରେ ଆଳୁ ଲୋଡ଼ ହୋଇଥିବା ଓଡ଼ିଶାର ଟ୍ରକକୁ ପଶ୍ଚିମବଙ୍ଗ ପୋଲିସ ଛାଡୁ ନାହିଁ । ଆଳୁ ଭର୍ତ୍ତି ଟ୍ରକକୁ ପଶ୍ଚିମବଙ୍ଗ ପୋଲିସ ବିଭିନ୍ନ ସ୍ଥାନରେ ଅଟକେଇ ରଖିଛନ୍ତି । ଗତକାଲି ଦିନରେ କିଛି ଆଳୁ ଗାଡି ଆସିଥିଲା । ଗତକାଲି ରାତି 8 ପୂର୍ବରୁ ପଶ୍ଚିମବଙ୍ଗ ବର୍ଡର ପାର ହୋଇଥିବା ଆଳୁ ଗାଡି ଆସିଯାଇଛି । ଓଡିଶା ମାର୍କେଟରର କିଛି ଆଳୁ ଗଚ୍ଛିତ ଅଛି । ଆଳୁ ସମସ୍ୟା ଖବର ପହଁଚିଲେ ମହଜୁଦ କରିବାକୁ ଲୋକ ଚେଷ୍ଟା କରିବେ । ଫଳରେ ଓଡିଶା ବଜାରରେ ଆଳୁ ସମସ୍ୟା ଦେଖା ଦେବ । ଆଇଗଣିଆ ଆଳୁ ଗଦିରେ କୁଇଣ୍ଟାଲ 2700ରୁ 2800 ଟଙ୍କାରେ ବିକ୍ରୀ ହୋଇଛି । ଆଜି ଦିନତମାମ ମଧ୍ୟ ଆଳୁର ଏହି ଦାମ ରହିବ । ଆଳୁ ଗାଡି ଓଡିଶା - ପଶ୍ଚିମବଙ୍ଗ ବର୍ଡରରେ ଆଳୁ ଗାଡି ଅଟକ ରହିଛି । ରାଜ୍ୟ ସରକାରଙ୍କୁ ଅନୁରୋଧ ଅଟକ ଥିବା ଆଳୁ ଟ୍ରକକୁ ଆଣିବା ଲାଗି ବ୍ୟବସ୍ଥା କରନ୍ତୁ । ଆଳୁ ସମସ୍ୟାର ଫଳପ୍ରଦ ସମାଧାନ ଲାଗି ସରକାର ପଦକ୍ଷେପ ନେବା ଦରକାର ।"
ବାର୍ଷିକ ସାଢ଼େ 14 ଲକ୍ଷ ଓ ଦିନକୁ ସାଢେ 4 ହଜାର ଟନ ଆଳୁ ଚାହିଦା-
ବାର୍ଷିକ ପ୍ରାୟ 14 ଲକ୍ଷ 50 ହଜାର ଟନ ଓଡିଶାକୁ ଆବଶ୍ୟକ । ପ୍ରତ୍ୟେକ ଦିନ ସାଢେ 4 ହଜାର ଟନ ଆଳୁର ଚାହିଦା ରହିଛି । ଆମ ପାଖରେ ବର୍ତ୍ତମାନ ପ୍ରାୟ ସେତିକି ଆଳୁ ରହିଛି । ଯାହା ଗୋଟିଏ ଦିନ ଯିବ । ପୁରୁଣା ଆଳୁ ଶେଷ ହୋଇ ଆସୁଥିବାବେଳେ ନୂଆ ଆଳୁ ଆମଦାନୀ ହେବା ସମୟ । ତେଣୁ ରାଜ୍ୟର କୌଣସି ଶୀତଳ ଭଣ୍ଡାରରେ ଆଳୁ ମହଜୁଦ ନାହିଁ ।"
ଆଇଗଣିଆର ଆଳୁ ଗୋଦାମ ମାଲିକ ପ୍ରତାପ କହିଛନ୍ତି, "ଆଜି 2ରୁ 3 ଗାଡି ଆଳୁ ଆସିଛି । ପୁରୁଣା ଆଳୁ ଓ ଉତ୍ତର ପ୍ରଦେଶରୁ ଆସିଥିବା କିଛି ଆଳୁ ବିକ୍ରି ହେଉଛି । ଆଳୁ କୁଇଣ୍ଟାଲ 26 ଶହରୁ 27 ଶହ ମଧ୍ୟରେ ବିକ୍ରି ହେଉଛି । ଯଦି ଆଳୁ ଆସେ ତେବେ ଦର ବଢ଼େଇବା ବାବଦରେ ନିଷ୍ପତ୍ତି ହେବ । ଉତ୍ତର ପ୍ରଦେଶ ଆଳୁ ଯୋଗୁଁ କ୍ଷତି ହେଉଛି । ସାଧାରଣରେ ପ୍ରତ୍ୟେକ ଦିନ ଆମର 10ରୁ 12 ଗାଡି ଆଳୁ ପଶ୍ଚିମବଙ୍ଗରୁ ଆସେ । ଯଦି ଗାଡି ନଆସେ ତେବେ ମାର୍କେଟ ଉଚ୍ଚା ରହିବ ।"
ଭୁବନେଶ୍ୱର 1 ନମ୍ବର ମାର୍କେଟର ହୋଲସେଲ ବେପାରୀ ବାଦଲ କୁମାର ପଣ୍ଡା କହିଛନ୍ତି, "ଆମେ ହୋଲସେଲ ହିସାବରେ ଆଳୁ ଦେଉଛୁ । ଗତକାଲି କୁଇଣ୍ଟାଲ ପିଛା 2600 କିମ୍ବା 2620 ଲେଖାଏଁ ଦେଇଥିଲୁ । ଆଜି ଆମେ 2700 ଟଙ୍କା କୁଇଣ୍ଟାଲ ବିକ୍ରି କରିଛୁ । ଗତକାଲିଠାରୁ ପଶ୍ଚିମବଙ୍ଗ ସରକାର ବର୍ଡର ବନ୍ଦ କରିଛନ୍ତି । ଆଳୁ ଟ୍ରକ ଓଡିଶା ଛାଡୁ ନାହାନ୍ତି । ଯଦି ବନ୍ଦ ହୁଏ, ଆଳୁ ଗାଡି ନଆସେ ତେବେ ଦର ଉପରେ ପ୍ରଭାବ ପଡିବ । ଖୁଚୁରା ବ୍ୟବସାୟୀ 3 କେଜିକୁ 100 ଟଙ୍କାରେ ବିକ୍ରି କରୁଛନ୍ତି । ମାଲ ଆସିବା ଉପରେ ଏହି ଦର ନିର୍ଭର କରେ । ଆମର ଆଳୁ ମାର୍କେଟ ପଶ୍ଚିମବଙ୍ଗ ଉପରେ ନିର୍ଭର କରେ । ଅନ୍ୟ ରାଜ୍ୟର ଆଳୁ ଆମ ଲାଗି ସୁବିଧାଜନକ ନୁହେଁ । ଉତ୍ତର ପ୍ରଦେଶ ଆଳୁ ଓଡିଶା ମାର୍କେଟରେ ଚାହିଦା ନାହିଁ । ସେମିତିରେ ଉତ୍ତର ପ୍ରଦେଶରୁ ଆଳୁ ଆସିବାକୁ 4 ଦିନ ସମୟ ଲାଗୁଛି ।"
ଖୁଚୁରା ବ୍ୟବସାୟୀ ସେକ ଫିରୋଜ ଜଲାଲ କହିଛନ୍ତି, "ନିୟମିତ ଭାବେ ନେଉଥିବା ଗୋଦାମରେ ବର୍ତ୍ତମାନ ଆଳୁ ନାହିଁ । ଆଳୁ ଗାଡି ଆସୁନାହିଁ ବୋଲି କହୁଛନ୍ତି । ଗୋଟେ ପଶ୍ଚିମବଙ୍ଗ ଆଳୁ ଗାଡି ଲାଗିଥିବା ଦେଖୁଛି । 40 କେଜି ବସ୍ତା 950ରୁ 1030 ଦରରେ କିଣିକି ନେଉଥିଲୁ । ଗାଡି ଆସୁନଥିବାରୁ ମାର୍କେଟ ସର୍ଟେଜ ରହିବ । ବଡ଼ ବ୍ୟବସାୟୀ ଅଧିକ ରେଟରେ ଆଳୁ ବିକିବେ । ସେପଟେ ଉତ୍ତର ପ୍ରଦେଶରୁ ଭଲ ଆଳୁ ଆସୁନାହିଁ । ପୋକଡା, ନୀଳ ଓ ପଚା ଆଳୁ ଆସୁଛି । ନଷ୍ଟ, କିଣା ଦାମକୁ ଦେଖି 5 ଟଙ୍କା ଲାଭ ରଖି ଆମେ ବିକିବୁ । ବର୍ତ୍ତମାନ ଆମେ କେଜି 27ରୁ 30 ଟଙ୍କାରେ କିଣି 33ରୁ 35 ଟଙ୍କାରେ ବିକ୍ରି କରୁଥିଲୁ । ଆଗକୁ ଏହା ବଢିପାରେ ।"
କୁବରପୁରି ମର୍ଚେଣ୍ଟ ଆସୋସିଏସନର ମାର୍କେଟିଂ ରିପୋର୍ଟର ମନୋଜ କୁମାର ସାହୁ କହିଛନ୍ତି, "ଗତକାଲି ପର୍ଯ୍ୟାପ୍ତ ପରିମାଣର ପଶ୍ଚିମବଙ୍ଗ ଆଳୁ ଓଡିଶା ଆସିଛି । ନିୟମିତ ଭାବେ ଭୁବନେଶ୍ୱରକୁ ପଶ୍ଚିମବଙ୍ଗ ଆଳୁ 20ରୁ 22 ଗାଡି ଆସେ । ଆଜି କେବଳ ବନ୍ଦ ହୋଇଛି । ଆଜି ବେଙ୍ଗଲ ଗାଡି ଗୋଟେ ଓ ଉତ୍ତର ପ୍ରଦେଶର କିଛି ଗାଡି ରହିଛି । ବାକି ଗାଡି ପଶ୍ଚିମବଙ୍ଗ ଚେକ ଗେଟରେ ଛିଡା ହୋଇଛି । କେତେବେଳେ ଆସିଯାଇପାରେ । ନହେଲେ ଉତ୍ତର ପ୍ରଦେଶ ଆଳୁକୁ ନେଇ ଚଳେଇବାକୁ ପଡିବ ।"
ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ଆଳୁ ପାଇଁ ରାଜ୍ୟରେ ସମସ୍ୟା ହେବନାହିଁ । ଅନ୍ୟ ରାଜ୍ୟରୁ ଆଳୁ ଆଣିବାକୁ ଆମେ ପ୍ରସ୍ତୁତ ହେଲୁଣି । ସନ୍ଧ୍ୟାରେ ଏ ନେଇ ବୈଠକ ବସିବ । ଖାଉଟିଙ୍କୁ କୌଣସି ସମସ୍ୟା ନହେବା ପାଇଁ ଆମେ ତୁରନ୍ତ ଆଳୁ ବ୍ୟବସ୍ଥା କରିବୁ । ବାରମ୍ବାର ପଶ୍ଚିମବଙ୍ଗ ସରକାର କାହିଁକି ଏପରି କରୁଛନ୍ତି, ଜାଣିହେଉନାହିଁ । ସେମିତି କରିବା ଉଚିତ ନୁହେଁ ।"