କେନ୍ଦ୍ରାପଡା : ରାଜ୍ୟରେ ବଢି ଚାଲିଛି ଖରାର ପ୍ରକୋପ ଆଉ ଖରାକୁ ଦୃଷ୍ଟିରେ ରଖି ଚାରିଆଡେ ପଖାଳର ଚାହିଦା ବି ଢେର ବଢିବାରେ ଲାଗିଛି। ଧନୀ ହେଉ କି ଗରିବ ସମସ୍ତେ ଏବେ ଦେଶୀ ଖାଦ୍ୟର ଭରପୁର ମଜା ନେଉଛନ୍ତି। ପଖାଳର ଚାହିଦା ଦେଖି ଗ୍ରାମାଞ୍ଚଳ ହେଉ ଅବା ରାଜପଥ କଡରେ ଥିବା ଛୋଟ ବଡ ହୋଟେଲ ସବୁଠି ଏବେ ସାଧା ପଖାଳ ସହ ଦହି ପଖାଳ ମିଳୁଛି । ଆଜି ହେଉଛି ପଖାଳ ଦିବସ । ଏନେଇ ରାଜ୍ୟବ୍ଯାପି ବିଷେଶ କରି ଓଡିଆ ଲୋକେ ଏ ଦିବସକୁ ପାଳନ କରୁଛନ୍ତି ।
ଏନେଇ କେନ୍ଦ୍ରାପଡା ଜିଲ୍ଲାର ଏକ ହୋଟେଲରେ ପଖାଳ ଦିବସରେ ଖଚାଖଚ ଭିଡ ଦେଖିବାକୁ ମିଳିଛି । ବିଶେଷ କରି ଏ ହୋଟେଲରେ ଫେବୃଆରୀ ମାସରୁ ଆରମ୍ଭ କରି ଜୁଲାଇ ମାସ ପର୍ଯ୍ୟନ୍ତ ପଖାଳ ବିକ୍ରି ହୋଇଥାଏ । ପଖାଳ କଂସା ସାଙ୍ଗକୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ସାଗଭଜା,ଆଳୁ ବାଇଗଣ ଭର୍ତ୍ତା, ବଢିଚୁରା ,ଛତୁ, କାକୁଡି କଞ୍ଚାଲଙ୍କା ଓ କାଗାଜି ଏଠାରେ ଗ୍ରାହକକୁ ପରସା ଯାଇଥାଏ । ସେହିପରି ପଖାଳ ସାଙ୍ଗକୁ ଚୁନା ମାଛ ଭଜା ,ମାଛଛେଚା , ଚିକେନ୍ କସା ମଧ୍ୟ ଏଠାରେ ମିଳିଥାଏ । ନିରାମିଷ ଥାଳିର ଦାମ ତିରିଶ ଟଙ୍କା ରହିଥିବା ବେଳେ ଆମିଷ ଥାଳିର ଦାମ ଚାଳିଶ ଟଙ୍କାରୁ ପଚାଶ ଟଙ୍କା ରଖାଯାଇଛି। କମ ମୂଲ୍ୟରେ ଏଠାରେ ପଖାଳ ମିଳୁଥିବାରୁ ଗାଡି ଚାଳକ ଓ ବାଟୋଇମାନଙ୍କ ଏଠାରେ ଭିଡ ଜମେ ।
ଏହାବି ପଢନ୍ତୁ: Pakhala Divas: ମୁଖ୍ୟମନ୍ତ୍ରୀଙ୍କ ପଖାଳ ଖିଆ, ମାଛ ଭଜା ସାଙ୍ଗକୁ ସୋରିଷ ଦିଆ ଛୁଇଁ ଭଜା
ମାର୍ଚ୍ଚ କୋଡିଏ ତାରିଖକୁ ସାରା ବିଶ୍ବରେ ପଖାଳ ଦିବସ ଭାବେ ପାଳନ କରାଯାଏ । ପାରମ୍ପରିକ ଓଡ଼ିଆ ଖାଦ୍ୟ ପଖାଳ ଏହାର ଆରମ୍ଭ କେବେଠାରୁ ସେ ସମର୍କରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ନାହିଁ। କିନ୍ତୁ ଏତିକି କହି ହବ ପଖାଳ ହେଉଛି ଓଡ଼ିଆ ଜାତିର ଆତ୍ମା । ଯାହାର ଜଗନ୍ନାଥ ସଂସ୍କୃତି ସହିତ ରହିଛି ସମ୍ପର୍କ। ଏହି ପଖାଳ ଦିବସରେ ସମସ୍ତ ଓଡ଼ିଆ ଘରେ ଘରେ ପଖାଳ ଖାଇବାର ମଜା ନେଇଥାନ୍ତି । ଅନ୍ୟପଟେ ମହାପ୍ରଭୁ ବଳଦେବଜୀଉଙ୍କ ପାଖରେ ନିଇତି ରାତିରେ ଦହି ପଖାଳ ଭୋଗ ଲାଗି କରାଯାଇଥାଏ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ