କେନ୍ଦ୍ରାପଡା: କଥାରେ ଅଛି "ଇଚ୍ଛା ଥିଲେ ଉପାୟ ଆପେଆପେ ଆସେ"। ଏଭଳି ଏକ ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ଡେରାବିଶର ମିର୍ଜାପାଟଣା ଗାଁର ସଫିରୁଦ୍ଦିନ ଖାନ। ସ୍ବଳ୍ପ ମୂଲ୍ୟରେ ତିଆରି କରିଛନ୍ତି କୁକୁଡ଼ା ଅଣ୍ଡାରୁ ଚିଆଁ ବାହାର କରିବା ମେସିନ। ଆଉ ପାଲଟିଛନ୍ତି ସମସ୍ତଙ୍କର ପ୍ରଶଂସାର ପାତ୍ର ।
ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶିକ୍ଷାଗତ ଯୋଗ୍ୟତା । କାରଣ ସଫି କିଛି ଅଧିକ ପାଠ ପଢିନାହାନ୍ତି କେବଳ ମାଟ୍ରିକ ପାସ କରିଛନ୍ତି । ବିଦେଶରେ ରହି ଟଙ୍କା ରୋଜଗାର କରୁଥିବା ଶାରୀରିକ ଅସୁସ୍ଥତା ଯୋଗୁଁ ସେ ଗାଁକୁ ଫେରିଆସିଥିଲେ । କିନ୍ତୁ କିଛି ନୂଆ କରି ଦେଖାଇବାରେ ଚେଷ୍ଟା ଜାରି ରଖିଥିଲେ ଯାହାକି ଆଜି ତାଙ୍କୁ ସଫଳତା ଆଣିଦେଇଥିବା ଓ ଆଗକୁ ସେ ଏଭଳି କାମ କଲେ ତାଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ସଫିରୁଦ୍ଦିନଙ୍କ ଭାଇ। ପ୍ରାୟ ବର୍ଷକ ତଳୁ ଏହି ମେସିନ ତିଆରି ପାଇଁ ୟୁଟ୍ୟୁବ ଦେଖି ଆରମ୍ଭ କରିଥିଲେ ପ୍ରୟାସ । ହେଲେ ପ୍ରଥମେ ବିଫଳ ହୋଇଥିଲେ । କିନ୍ତୁ ପ୍ରାୟ ଦୁଇମାସ ହେବ ଗୋଟିଏ ପରେ ଗୋଟିଏ ସଫଳତାର ଶିଢି ଚଢି ଚାଲିଛନ୍ତି ସେ ।
ଆସନ୍ତୁ ଜାଣିବା କଣ ଏହି ଏଗ ହ୍ୟାଚିଂ ମେସିନ :
କୁକୁଡ଼ା ଚିଆଁ ପାଇଁ ଆବଶ୍ୟକୀୟ ମେସିନର ବଜାର ଦର 10ହଜାର ଟଙ୍କା ପଡିବାରୁ କିପରି ସ୍ବଳ୍ପ ଖର୍ଚ୍ଚରେ ମେସିନ ତିଆରି କରାଯାଇପାରିବ ସେନେଇ ଦିନରାତି ପରିଶ୍ରମ କରି ୟୁଟ୍ୟୁବ ମାଧ୍ୟମରେ ଜ୍ଞାନ ଆହରଣ କରିଥିଲେ ସେ। ଗୋଟିଏ 100 ୱାଟ ବଲ ଜଳୁଥିବା ଥର୍ମୋକୁଲ ପେଟି ହେଉଛି କୁକୁଡ଼ା ଅଣ୍ଡାରୁ ଚିଆଁ ବାହାର କରୁଥିବା ମେସିନ। ଯେଉଁଥିରେ ଏକାଥରକେ 40ଟି ଅଣ୍ଡାରୁ ଚିଆଁ ବାହାରି ପାରିବ। ମାତ୍ର ଏକହଜାର ଟଙ୍କାରେ ସ୍ବଦେଶୀ ଜ୍ଞାନ କୌଶଳ ଉପଯୋଗ କରି ଏହି ମେସିନର ଉଦ୍ଭାବନ କରିଛନ୍ତି ସଫିରୁଦ୍ଦିନ ।
ଥର୍ମୋକୁଲରେ ଇଲେକ୍ଟ୍ରିକ ବଲବ,ସେନସର ମେସିନ,ଛୋଟ ଫ୍ୟାନ,ଏଲଇଡି ଓ କିଛି ଚସୁ ସଂଗ୍ରହ କରି ସଫିରୁଦ୍ଦିନ ତିଆରି କରିଛନ୍ତି ଏହି ମେସିନ। ସେନସର ମେସିନ କିଣିବା ପାଇଁ ମାତ୍ର 1ହଜାର ଟଙ୍କା ଦେବାକୁ ପଡିଥିବା ବେଳେ ଅନ୍ୟାନ୍ୟ ସାମଗ୍ରୀର ବଜାର ମୂଲ୍ୟ ଖୁବ କମ। ଭବିଷ୍ୟତରେ ସ୍ବଳ୍ପ ମୂଲ୍ୟରେ ଏଭଳି ମେସିନ ତିଆରି କରି ବିକ୍ରି କରିବା ଲକ୍ଷ୍ୟ ରଖିଛନ୍ତି ଏହି ଯୁବ ଉଦ୍ୟୋଗୀ। କୁକୁଡ଼ା ଅଣ୍ଡାରୁ ଚିଆଁ ବାହାରିବା ପାଇଁ 37.6 ଡିଗ୍ରୀ ତାପମାତ୍ରା ଆବଶ୍ୟକ ଥିବା କୁହନ୍ତି ସଫିରୁଦ୍ଦିନ।
ଏହି ଉତ୍ତାପ ସଂଗ୍ରହ ପାଇଁ ପେଟି ଭିତରେ ରହିଛି ଏକ 100 ୱାଟର ଇଲେକ୍ଟ୍ରିକ ବଲବ। ଠିକ ଇଲେକ୍ଟ୍ରିକ ବଲବ ତଳେ ରଖାଯାଇଥିବା ପାଣି ପାତ୍ରରୁ ବାମ୍ଫ ବାହାରି ପେଟି ଭିତରର ଉତ୍ତାପ ଓ ଅମ୍ଳଜାନକୁ ନିୟନ୍ତ୍ରଣ କରେ । ଏହାସହ ପେଟି ଭିତରେ ଥିବା ଛୋଟ ଫ୍ୟାନ ଉତ୍ତାପକୁ ଖେଳାଇ ଦେବାରେ ସହାୟକ ହୋଇଥାଏ। ଆବଶ୍ୟକୀୟ ଉତ୍ତାପ ସଂଗ୍ରହ ପରେ ପେଟିରେ ଲାଗିଥିବା ସେନସର,ଇଲେକ୍ଟ୍ରିକ ବଲବକୁ ଆପେଆପେ ବନ୍ଦ କରିଦେଇଥାଏ। 18ଦିନ ପର୍ଯ୍ୟନ୍ତ ଅଣ୍ଡାକୁ ହାତରେ ଏପଟସେପଟ କରାଯାଉଥିବା ବେଳେ 18ତମ ଦିନରୁ 21ତମ ଦିନ ଯାଏ ଏହି ଅଣ୍ଡାରେ ଆଉ ହାତ ମରାଯାଏ ନାହିଁ। 21ତମ ଦିନରେ ଉକ୍ତ ଅଣ୍ଡା ଗୁଡ଼ିକରୁ ଚିଆଁ ବାହାରିଥାଏ ବୋଲି କହିଛନ୍ତି ସଫିରୁଦ୍ଦିନ।
ନିଜ ପଞ୍ଚାୟତ ସହ ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କ ପାଇଁ ସଫିରୁଦ୍ଦିନ ବର୍ତ୍ତମାନ ଆଦର୍ଶ ପାଲଟିଛନ୍ତି । ଏହି କାର୍ଯ୍ୟରେ ତାଙ୍କୁ କିଛି ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ସେ ଆହୁରି ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ। ସଫିରୁଦ୍ଦିନଙ୍କର ଅଦମ୍ୟ ଇଚ୍ଛା ତାଙ୍କୁ ଏହି ସଫଳତା ଆଣିଦେଇଥିବା ପ୍ରମାଣ ହୋଇଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ