କେନ୍ଦ୍ରାପଡା: ମହାନଦୀର କରାଳରୂପ ଯୋଗୁଁ ଶାଖା ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ବିଭିନ୍ନ ନଦୀରେ ଘାଇ ହେବାଫଳରେ ଗାଁରେ ଲହଡି ମାରୁଛି ବନ୍ୟା ପାଣି । କେଉଁଠି ଘରଦ୍ବାର ବୁଡିଗଲାଣ ତ ଆଉ କେଉଁଠି ରାସ୍ତାଘାଟ ଧୋଇଗଲାଣି । ଏହାରି ଭିତରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାହିତ ଶାଖା ନଦୀ ଲୁଣା ଓ କରାଣ୍ଡିଆ ମଧ୍ୟ ଉଛୁଳିଛି । ଯେଉଁ କାରଣରୁ ଏଠାକାର ଦୁଇଟି ଗାଁ ବଳରାମପୁର ଓ ବଳିସିଂ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।
ଲୁଣା ଓ କରାଣ୍ଡିଆ ନଦୀରେ ଜଳସ୍ତର ବୃଦ୍ଧି ହେତୁ ଦ୍ବୀପାଞ୍ଚଳରେ ଥିବା ଏହି ଗାଁର ରାସ୍ତା ଧୋଇଯାଇଛି । ନଦୀରେ ଘାଇ ସୃଷ୍ଟି ହୋଇ ଗାଁ ଦୁଇଟିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ, ପ୍ରଶାସନ ଏମାନଙ୍କ ପାଖରେ ସହାୟତା ପହଞ୍ଚାଇବା ପାଇଁ ଚେଷ୍ଟା ଚଳାଇଛି । ସୂଚନା ମୁତାବକ, ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଏହି ଗାଁଗୁଡିକୁ ଯୋଗାଯୋଗ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ନଦୀ କୂଳରେ ରାସ୍ତା ତିଆରି ହୋଇଥିଲା ।
ତେବେ ରାସ୍ତା ନିର୍ମାଣକୁ ମାସେ ପୁରି ନଥିବାବେଳେ ବନ୍ୟାଜଳ ରାସ୍ତାକୁ ଧୋଇ ନେବା କାମର ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଏହି ଘାଇ ଯୋଗୁଁ ଦ୍ବୀପାଞ୍ଚଳରେ ଥିବା ଗାଁଗୁଡିକର ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା