କେନ୍ଦ୍ରାପଡ଼ା: ସ୍ଥାୟୀ ନିଯୁକ୍ତି ନକେଲ ୧୨ ତାରିଖରେ ରାସ୍ତାକୁ ଓହ୍ଲାଇବେ ଶହଶହ ସ୍ୱାସ୍ଥ୍ୟ ଠିକା କର୍ମଚାରୀ । ଏନେଇ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜିକୁ ୧୭ ବର୍ଷ ହେଲାଣି ଚାକିରୀ, ହେଲେ ହୋଇପାରିନାହିଁ ସ୍ଥାୟୀ । ବନ୍ୟା, ବାତ୍ୟା ଏଭଳିକି କୋଭିଡ ମହାମାରୀ ସମୟରେ ଜୀବନକୁ ବାଜିରେ ଲଗାଇ ରୋଗୀ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ସ୍ୱାସ୍ଥ୍ୟ ଠିକା କର୍ମଚାରୀ । ହେଲେ ଏମାନଙ୍କୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ଠିକା କର୍ମଚାରୀ ।
ତେଣୁ ଚୁକ୍ତି ଉଚ୍ଛେଦ କରି ସ୍ଥାୟୀ ଚାକିରୀ ନଦେଲେ ଆସନ୍ତା ୧୨ ତାରିଖରୁ ଅସହଯୋଗ ଆନ୍ଦୋଳନରେ ସାମିଲ ହେବେ ଜିଲ୍ଲାର ଶହଶହ ସ୍ୱାସ୍ଥ୍ୟ ଠିକା କର୍ମଚାରୀ । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ସ୍ୱାସ୍ଥ୍ୟ ଠିକା କର୍ମଚାରୀ । ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କର୍ମଚାରୀମାନେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ଠିକା କର୍ମଚାରୀ ପ୍ରଥାକୁ ଘୋର ନିନ୍ଦା କରିଥିଲେ । ଏଥିସହ ଚାକିରିକୁ ୧୭ ବର୍ଷ ପୁରି ଯାଇଥିଲେ ସୁଦ୍ଧା ଏମାନଙ୍କ ଦରମା ସେହି ଅନୁପାତରେ ବଢି ନାହିଁ । ଫଳରେ ଏହି କର୍ମଚାରୀ ନିଜ ପରିବାରବର୍ଗଙ୍କୁ ଭଲ ଗଣ୍ଡାଏ ଖାଇବାକୁ ଦେଇପାରୁନଥିବା ବେଳେ ଭଲ ଖଣ୍ଡିଏ ପିନ୍ଧିବାକୁ ମଧ୍ୟ ଦେଇ ପାରୁନାହାଁନ୍ତି ।
ଏହାମଧ୍ୟ ପଢ଼ନ୍ତୁ. ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବି
ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଏହି ଠିକା କର୍ମଚାରୀଙ୍କ ଅଦମ୍ୟ ସେବା ମନୋବୃତ୍ତି ଓ ଠିକଣା ସମୟରେ ଚିକିତ୍ସା ପାଇଁ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚିଯାଇଥାଏ । କିନ୍ତୁ ଏଥିଲାଗି ରାଜ୍ୟସରକାର ବାହାବାହା ନେଇଥାନ୍ତି । ଏହା ବିରୋଧରେ କର୍ମଚାରୀମାନେ ମିଳିତ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ସେମାନଙ୍କର ସେବା ସମ୍ପର୍କିତ ତଥ୍ୟ ବୁଝାଇବା ସହ ଶହଶହ ସଂଖ୍ୟାରେ ଆୟୁଷ ଡାକ୍ତର ଓ ସାଥୀ ଠିକା କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକ ବିରାଟ ରାଲିରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏ ସମ୍ପର୍କରେ ଡଃ ବି.କେ. ପ୍ରଶାନ୍ତ କୁମାର କହିଛନ୍ତି, ''ଆଜିକୁ ୧୭ ବର୍ଷ ହେବ ଆମେ ଠିକା ଚାକିରିରେ ଅଛୁ । ହେଲେ ଏଯାଏଁ ସ୍ଥାୟୀ ନିଯୁକ୍ତି ମିଳିନାହିଁ। ନିକଟରେ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଲା ଯେ ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ । ହେଲେ ସରକାରଙ୍କର ଏହି କଥା ଏବେ ଫେଲ୍ ମାରିଛି। ନା ସ୍ଥାୟୀ ଚାକିରି ହେଉଛି ନା ଦରମା ବଢୁଛି । ଫଳରେ ଏକ ଦୁର୍ଦ୍ଦଶା ଦେଇ ଗତି କରୁଛୁ । ଚାକିରି ସ୍ଥାୟୀ ନଥିବାରୁ ଆମ ଉପରେ ନିର୍ଭର କରୁଥିବା ପରିବାର ମଧ୍ୟ ଦୁଃଖ କଷ୍ଟରେ ଚଳୁଛନ୍ତି ।''
ଇଟିଭି ଭାରତ, କେନ୍ଦ୍ରାପଡ଼ା