କେନ୍ଦ୍ରାପଡ଼ା: ଦୀର୍ଘ ଦୁଇବର୍ଷ ପରେ ଆରମ୍ଭ ହେଲା ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । କୋଭିଡ କାରଣରୁ ବନ୍ଦ ହୋଇ ରହିଥିବା ଜନ ଶୁଣାଣିକୁ ରାଜ୍ୟ ସରକାର ପୁଣିଥରେ ଆରମ୍ଭ କରିଥିବା ବେଳେ ଚଳିତ ମାସର ପ୍ରଥମ ସୋମବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ହୋଇଥିଲା ଜନଶୁଣାଣି । ଏଥିଲାଗି ସକାଳ ୭ରୁ ଦିନ ୧୧ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଥିବା ବେଳେ ୧୦ଟାରେ ବିଳମ୍ବରେ ପହଞ୍ଚିଛନ୍ତି ଜିଲ୍ଲାପାଳ ଓ ଏସପି । ଫଳରେ ଏହି କାର୍ଯ୍ୟକ୍ରମ ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି ।
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ଚାଲିଛି ସରକାରୀ କାର୍ଯ୍ୟାଳୟ । କୋଭିଡ ମହାମାରୀ ପାଇଁ ଦୀର୍ଘ ଦୁଇବର୍ଷ ଧରି ବନ୍ଦ ହୋଇ ରହିଥିବା ମିଳିତ ଜନ ଅଭିଯୋଗ ଶୁଣାଣିକୁ ଆଜି ଜିଲ୍ଲାରେ ଆରମ୍ଭ କରାଯାଇଛି ସତ ହେଲେ ଜନଶୁଣାଣୀ ପାଇଁ ପ୍ରଚାର ପ୍ରସାର ଅଭାବରୁ ଅନେକ ଲୋକ ଏହି କାର୍ଯ୍ୟକ୍ରମରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ସକାଳ ୭ରୁ ଦିନ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜନ ଅଭିଯୋଗ ଶୁଣାଣିକୁ କିଛି ଲୋକ ଆସିଥିଲେ ହେଁ ଜିଲ୍ଲାପାଳ ଓ ଏସପିଙ୍କୁ ନପାଇ ବାଧ୍ୟହୋଇ ଉପସ୍ଥିତ ଥିବା ଅନ୍ୟ ଅଧିକାରୀଙ୍କୁ ସେମାନଙ୍କ ଅଭିଯୋଗ ପତ୍ର ଦେବା ସାର ହୋଇଛି ।
ସକାଳ ୬ରୁ ଜିଲ୍ଲାପାଳଙ୍କୁ ଭେଟି ନିଜର ଏକ ଜମିଜମା ସମ୍ବନ୍ଧୀୟ ମାମଲାରେ ମହାକାଳପଡ଼ା ତହସିଲଦାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ନେଇ ଆସିଥିବା ପିତାପୁତ୍ର ଦିନ ୧୦ଟା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଭେଟ ନପାଇ ନିରାଶ ହୋଇଥିବା ଏବଂ ତାଙ୍କ ପରିବାରକୁ ତ୍ୱରିତ ନ୍ୟାୟ ଦେବା ପାଇଁ ନିବେଦନ କରିଥିବା ଦେଖାଯାଇଛି । ସେହିପରି ଯେଉଁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଇଛି ସେମାନେ ଦିନ ୧୦ପରେ ପହଞ୍ଚିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଇନଜୀବୀ ।
ମିଳିତ ଜନଶୁଣାଣି ହେଉଥିବା ସଦଭାବନା ଗୃହର ଦୃଶ୍ୟ ଦେଖିଲେ ଯେ କେହି ବି ଏହା ପ୍ରହସନରେ ପରିଣତ ହୋଇଛି ବୋଲି ସିଧାସଳଖ କହିପାରନ୍ତି । କାରଣ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଅବା ଉପସ୍ଥିତି କିଛି ଅଧିକାରୀଙ୍କ ପାଇଁ କୌଣସି ମାନେ ରଖିନାହିଁ । ମିଳିତ ଅଭିଯୋଗ ପାଇଁ ବିଭିନ୍ନ ବିଭାଗରୁ ଆସିଥିବା ଅଧିକାରୀ ମାନେ ମୋବାଇଲ ଖୋଲି ବସିଥିବା ବେଳେ ଲୋକଙ୍କ ଅଭିଯୋଗକୁ ସଠିକ ଭାବେ ଦୃଷ୍ଟି ନଦେବା ଦେଖାଯାଇଥିଲା ଯାହାକି ପ୍ରହସନ ଅଭିଯୋଗକୁ ପ୍ରମାଣିତ କରୁଛି । ରାଜ୍ୟ ସରକାର ଲୋକମାନଙ୍କୁ ତ୍ୱରିତ ନ୍ୟାୟ ପାଇଁ ଏବଂ ସାଧାରଣ ଲୋକଙ୍କ କୌଣସି ସମସ୍ୟାର ସମାଧାନ ପାଇଁ କୋଟି କୋଟି ଟଙ୍କା ଅଧିକାରୀଙ୍କ ପଛରେ ଦରମା ପାଇଁ ଖର୍ଚ୍ଚ କରୁଛନ୍ତି ।
କିନ୍ତୁ ଅଧିକାରୀ ସାଧାରଣ ଲୋକଙ୍କ ସମସ୍ୟାକୁ ଅଣଦେଖା କରିବା ଏବେ ଦେହସୁହାରେ ପରିଣତ ହୋଇଛି । ଜିଲ୍ଲାପାଳ ୧୦ ଟା ୦୫ରେ ମିଳିତ ଅଭିଯୋଗ ଶୁଣାଣିକୁ ଆସିଥିବା ବେଳେ ଏସପି ୧୦ ଟା ୨୦ରେ ଜନଶୁଣାଣିକୁ ଆସିବା ବାସ୍ତବିକ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଅବ୍ୟବସ୍ଥା ଓ ବିଳମ୍ବକୁ ନେଇ ଜିଲ୍ଲାପାଳଙ୍କୁ ପଚରା ଯିବାରୁ ସେ ସାରା ଜିଲ୍ଲାର ୯ଟି ବ୍ଲକରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ଯୋଗୁଁ ଏଠାକୁ ଆସିବାରେ ବିଳମ୍ବ ହୋଇଛି ବୋଲି କହିଛନ୍ତି ।
ଦୀର୍ଘ ଦୁଇବର୍ଷ ପରେ ଆରମ୍ଭ ହୋଇଥିବା ପ୍ରଶାସନିକ ଶୁଣାଣିରେ ସୋମବାର ମୋଟ ୬୦ଟି ଅଭିଯୋଗ ହୋଇଥିବା ବେଳେ ଏଗୁଡିକର ସମାଧାନ କରିବା ଓ ଭବିଷ୍ୟତରେ ସମସ୍ତ ଅଧିକାରୀ ମୋବାଇଲ ଛାଡି ଲୋକଙ୍କ ସମସ୍ୟାକୁ ସମାଧାନ ଦିଗରେ ପଦକ୍ଷେପ ନେବା ସହ ପଲ୍ଲୀରେ ପ୍ରଶାସନ ଭଳି ଏହି ମିଳିତ ଅଭିଯୋଗ ଶୁଣାଣିକୁ ସଫଳ କରାଇବା ଉଦ୍ୟମର ଆବଶ୍ୟକତା ରହିଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ