କେନ୍ଦ୍ରପଡା: ସରକାରୀ କାର୍ଯ୍ୟାଳୟ ଗୁଡିକ ସାଧାରଣତଃ ଅପରିଷ୍କାର ହୋଇଥାଏ । ଏନେଇ ଅନେକ ଥର ସଚେତନତା ସୃଷ୍ଟି କରାଯାଇଥିଲେ ମଧ୍ୟ ପରିସ୍ଥିତି ଥାଏ ଅପରିବର୍ତ୍ତିତ । କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ଦେଖାଇବୁ, ଯାହା କୌଣସି ଉଦ୍ୟାନଠୁ କମ ନୁହେଁ । ଏଠି ଫୁଟିଛି ରଙ୍ଗବେରଙ୍ଗର ଫୁଲ। ଜିନିଆ,ସନ ଫ୍ଲାୱାର ଓ ଡାଲିଆ ସାଙ୍ଗକୁ ହୋଇଛି ପିଆଜ ଚାଷ ଓ ଶାଗ ପଟାଳି । ଏ କୌଣସି ଉଦ୍ୟାନ କି କୃଷି ବିଭାଗ ପରିସର ନୁହେଁ । ଏ ହେଉଛି କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ କୁରୁଜଙ୍ଗା ପଞ୍ଚାୟତ କାର୍ଯ୍ୟାଳୟର । ଆଉ ଏହି ବଗିଚାରେ ଯିଏ କାମ କରୁଛନ୍ତି ସେ ହେଉଛନ୍ତି କୁରୁଜଙ୍ଗା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରକାନ୍ତ ପ୍ରଧାନ । ପ୍ରତିଦିନ କାର୍ଯ୍ୟାଳୟର ଦାୟିତ୍ବ ସହ ପଞ୍ଚାୟତ ପରିସରରେ 2-3 ଘଣ୍ଟା ବଗିଚା କାମ କରି ସୃଷ୍ଟି କରିଛନ୍ତି ସବୁଜ ବନାନୀ । ଆଉ ବଗିଚା କାମ ତାଙ୍କୁ ଏତେ ପସନ୍ଦ ଯେ ସେ ଏହି କାମରେ ନିଜ ମାସିକ ଦରମା ବି ଲଗାଇଦିଅନ୍ତି ।
ଚନ୍ଦ୍ରକାନ୍ତ ଖାଲି ପରିବେଶପ୍ରେମୀ ନୁହେଁ, ବରଂ ଦରଦୀ ବନ୍ଧୁଟିଏ ମଧ୍ୟ । ପ୍ରତ୍ୟେକ ଦିନ ପଞ୍ଚାୟତରେ ଥିବା ବିଭିନ୍ନ ଗାଁ ଗୁଡିକ ଯାଇ ଲୋକଙ୍କ ସୁଖଦୁଃଖ ବୁଝିବା ସହ ରାସ୍ତାରେ ଅଳିଆ ଆବର୍ଜନା ପଡ଼ିଥିଲେ ଗୃହକର୍ତ୍ତାଙ୍କୁ ପରିଷ୍କାର ପାଇଁ କହିବା ସହିତ ନିଜେ ମଧ୍ୟ ଝାଡୁ ଧରି ସଫା କରିଦିଅନ୍ତି । ଆଉ ଚନ୍ଦ୍ରକାନ୍ତଙ୍କ କାମକୁ ଜିଲ୍ଲା ପ୍ରଶାସନ ମଧ୍ୟ ଉଚ୍ଚ ପ୍ରଶଂସା କରିବା ସହ ଅନ୍ୟ ଲୋକ ପ୍ରତିନିଧିମାନେ ତାଙ୍କଠୁ ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଉପ ଜିଲ୍ଲାପାଳ । ତେବେ,ଚନ୍ଦ୍ରକାନ୍ତଙ୍କ ଗଛ ଲଗାଇବା ନିଶା ଓ ସ୍ବଚ୍ଛତା ପରିବେଶ ସନ୍ତୁଳନ ଦିଗରେ ବେଶ ସହାୟକ ହେବା ସହ ସମସ୍ତଙ୍କ ପାଇଁ ଏକ ଶିକ୍ଷା ନିଶ୍ଚେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ