କେନ୍ଦ୍ରାପଡା: ନଳକୂପରୁ ପାଣି ବାହାରିବା କଥା ଆମେ ସମସ୍ତେ ଜାଣିଛେ । କିନ୍ତୁ ଏମିତି ଏକ ନଳକୂପ ଯେଉଁଥିରୁ ପାଣି ବାହାରିବା ସହିତ ଅଜବ ଗ୍ୟାସ ମଧ୍ୟ ବାହାରୁଛି । ଯାହା ସମସ୍ତଙ୍କୁ ଚକିତ କରିଛି ।
ତେବେ ଏଥିରୁ ଖାଲି ଗ୍ୟାସ ବାହରୁ ନାହିଁ । ଦିଆସିଲି ମାରିଲେ ନିଆଁ ମଧ୍ୟ ଲାଗୁଛି । ଆଜ୍ଞା ହଁ,ଏ ହେଉଛି କେନ୍ଦ୍ରାପଡ଼ା ମହାକାଳପଡା ବ୍ଲକର ବାହାରଶୋବଳା ଗାଁର ଦୃଶ୍ୟ । ନାରାୟଣ ମହାପାତ୍ରଙ୍କ ବାଡ଼ିରେ ରହିଛି ଏହି ନଳକୂପ ।
ଗତ ଦୁଇଦିନ ତଳେ ଏହି ନଳକୂପ ଖୋଳା ଯାଇଥିବା ବେଳେ ଶନିବାର ଏକ ଗ୍ୟାସ ହେବାରୁ ପାଣି ନିକଟରେ ଦିଆସିଲି ମାରିଥିଲେ ନାରାୟଣ । ଆଉ ଏଥିରେ ହଠାତ୍ ନିଆଁ ଧରିବାରୁ ଗାଁ ସାରା ହୁରି ପଡିଥିଲା ।
ଏହାକୁ ଦେଖିବା ପରେ ଗାଁ ଲୋକେ ସ୍ଥାନୀୟ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ