କେନ୍ଦ୍ରାପଡ଼ା: ବିଜେପି ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ପାଳନ କରାଯାଉଛି 'ମୋ ବୁଥ୍ ସବୁଠୁ ମଜବୁତ' ଠାରୁ ଆରମ୍ଭ କରି 'ବୁଥକୁ ଚାଲ' ଅଭିଯାନ। ଏହି କାର୍ଯ୍ୟକ୍ରମ ଅଧିନରେ କେନ୍ଦ୍ରାପଡାର ଆଳି ନିର୍ବାଚନ ମଣ୍ଡଳୀରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ଶକ୍ତି ହରଣ ପ୍ରକ୍ରିୟା ଆରମ୍ଭ କରିଛି ବିଜେପି। ଆଜି ବିଜେଡିର ୧୦ରୁ ଉର୍ଦ୍ଧ୍ବ ଛାମୁଆ ନେତାଙ୍କ ସମେତ କଂଗ୍ରେସର ୫ଜଣ କର୍ମୀ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଜେପିର ପ୍ରଥମ ମିଶ୍ରଣ ପର୍ବ ହୋଇଥିବାବେଳେ ଆଳି ନିର୍ବାଚନ ମଣ୍ଡଳୀରେ ନିଜର ଦବଦବା ଜାହିର କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଦଳ।
ବର୍ତ୍ତମାନର ବିଧାୟକ ତଥା ରାଜ୍ୟ ସରକାରଙ୍କ ଶକ୍ତିଶାଳୀ ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବ୍ୟକ୍ତି କୈନ୍ଦ୍ରିକ ରାଜନୀତି ଚାଲୁଥିବା କହିଛନ୍ତି ଦଳ ଛାଡିଥିବା ଜଣେ ବରିଷ୍ଠ କର୍ମୀ। ପୂର୍ବରୁ ଥରେ ସମିତିସଭ୍ୟ ଓ ନାଏବ ସରପଞ୍ଚ ପଦବୀ ଦଖଲ କରିଥିବା ଏହି କର୍ମୀଙ୍କ କହିବାନୁଯାୟୀ, "ଆଳି ନିର୍ବାଚନ ମଣ୍ଡଳୀର ଚରପଡା ହେଉଛି ଏକ ଅବହେଳିତ ପଞ୍ଚାୟତ। ଲୋକମାନଙ୍କ ସମସ୍ୟା ଦୂରୀକରଣ, ମୌଳିକ ଅଧିକାର ହାସଲ ଓ ପଞ୍ଚାୟତର ଉନ୍ନତି ପାଇଁ ସେ ଗତ ୨୦୦୯ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ। ହେଲେ ଦୀର୍ଘବର୍ଷ ବିତି ଯାଇଥିଲେ ମଧ୍ୟ ଏହି ପଞ୍ଚାୟତର କୌଣସି ଉନ୍ନତି ହେଉନାହିଁ। ଏପରିକି ସ୍ଥାନୀୟ ଲୋକମାନଙ୍କ ପ୍ରତିନିଧି ବିଧାୟକଙ୍କୁ ଅଭିଯୋଗ କରିବାକୁ ମଧ୍ୟ ସୁଯୋଗ ଦିଆଯାଉନାହିଁ" ବୋଲି ସେ କହିଛନ୍ତି। ଯେଉଁ ଉଦ୍ଦେଶ୍ୟ ନେଇ ସେ ବିଜେଡିରେ ମିଶିଥିଲେ ତାହା ପୁରଣ ହୋଇନଥିବା ସେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତତ୍ତ୍ୱାବଧାନରେ ଦେଶ ବିଶ୍ୱରେ ପରିଚିତ ହେବା ଓ ବହୁ ବିକାଶ ମୂଳକ କାର୍ଯ୍ୟ କରିଥିବା କାରଣରୁ ସେ ବିଜେପିରେ ଯୋଗଦେଇଥିବା କହିଛନ୍ତି।
ସେହିପରି କଂଗ୍ରେସ ଦଳ ଛାଡି ବିଜେପିରେ ମିଶିଥିବା ଅନ୍ୟଜଣେ କର୍ମୀଙ୍କ କହିଛନ୍ତି, "କୋଭିଡ ସମୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଭାରତକୁ ଯେଉଁ ପରିଚୟ ଦେଲେ ଓ କୋଟି କୋଟି ଲୋକଙ୍କ ଦୁଃଖ ବୁଝି ପାରିଲେ ତାହା ଆଜି ପର୍ଯ୍ୟନ୍ତ କୌଣସି ସରକାର ବୁଝି ପାରିନଥିଲେ ତେଣୁ ଏଭଳି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି" ବୋଲି ମତ ରଖିଛନ୍ତି । ସେହିପରି ଦଳର ଜିଲ୍ଲା ଉପ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ଆଳି ନିର୍ବାଚନ ମଣ୍ଡଳୀରେ ହେଉଥିବା ଦୁର୍ନୀତି, ଚୋରି ଓ ମାଡ଼ ଫୌଜଦାରୀ ପାଇଁ ଜଣେ ନିର୍ଦ୍ଦିଷ୍ଟ ନେତାଙ୍କୁ ଦାୟୀ କରିଥିବାବେଳେ ଲୋକମାନଙ୍କ ମନରେ ଏଥର ପରିବର୍ତ୍ତନର ନାରା ଦାନା ବାନ୍ଧିଲାଣି ବୋଲି କହିଛନ୍ତି। ତେବେ ଆଜି ପବିତ୍ର ବାହୁଡା ଯାତ୍ରା ଅବସରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା ବୋଲି ମଧ୍ୟ ସେ କହିଛନ୍ତି।
ଏହା ମଧ୍ୟ ପଢନ୍ତୁ... ବିଜେଡିରେ ବଢ଼ୁଛି ସଚିବ ରାଜ ! ଦଳ ଛାଡିଲେ ବଡ ନେତା
ଏହି ମିଶ୍ରଣ ପର୍ବ ଆଗକୁ ଜାରି ରହିବ ଓ ଭବିଷ୍ୟତରେ ଆଳି ନିର୍ବାଚନ ମଣ୍ଡଳୀକୁ ବିଜେପି ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପିର କର୍ମକର୍ତ୍ତା । କେନ୍ଦ୍ରାପଡା ଦୁହୁରିଆସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମିଡିଆ ସେଲ୍ ସଭାପତି ନେହେରୁ ସାହୁ, ଜିଲ୍ଲା ସମ୍ପାଦକ ସରୋଜକାନ୍ତ ନାୟକ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦଳରେ ନୂତନ କରି ଯୋଗ ଦେଇଥିବା କର୍ମୀମାନଙ୍କୁ ପୁଷ୍ପ, ଉପଢୌକନ ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଇଟିଭି ଭାରତ, କେନ୍ଦ୍ରାପଡ଼ା