କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅଞ୍ଚଳର ଜନୈକା 14ବର୍ଷିୟା ନାବାଳିକାକୁ ରବିବାର ଅପରାହ୍ନରେ କେତେକ ଯୁବକ ଅପହରଣ କରି ଯାଜପୁର ଆଡେ ନେଇ ଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ତାଙ୍କ ମାମୁଁ ଘର ଆଳି ବ୍ଳକ ଅଞ୍ଚଳକୁ ଚାଲିଚାଲି ଯାଉଥିବାବେଳେ ଏପରି ଘଟିଛି ।
ଅଭିଯୋଗ ଅନୁସାରେ, ନାବାଳିକା ଜଣଙ୍କ ଚାଲି ଚାଲି ଯାଉଥିବାବେଳେ ଗାଁର ସମ୍ପର୍କୀୟ ଜେଜେ ଶିଶିର ନାୟକ ନାମକ ଜଣେ ଯୁବକ ଚାଲିଚାଲି ନଯିବାକୁ କହିବା ସହ ସାଙ୍ଗମାନଙ୍କ ସହ ବୋଲେରୋ ଗାଡିରେ ଯିବାକୁ କହିଥିଲେ । ଏଥିରେ ନାବାଳିକା ଜଣଙ୍କ ରାଜି ହୋଇନଥିଲେ ମଧ୍ୟ ଶିଶିର ଜୋର ଜବରଦସ୍ତ ସାଙ୍ଗ ଟିଙ୍କୁ ସାମଲର ବୋଲେରୋରେ ନାବାଳିକାକୁ ନେଇଯାଇଥିଲା। ପରେ ମାମୁଁ ଘର ବାଟରେ ବୋଲେରୋ ନ ଅଟକିବାରୁ ନାବାଳିକା ଜଣକ ପାଟି କରିଥିଲେ । ହେଲେ ତାକୁ ଭୁଲାଇବାକୁ ବାଟରେ ଗୁପଚୁପ ଖାଇବାକୁ ଦେବା ସହ ସନ୍ଧ୍ୟାରେ ଯାଜପୁର ସିଂପୁର କଲେଜ ନିକଟରେ ଚିକେନ, ଅଣ୍ଡା ଓ ଥଣ୍ଡା ପାନୀୟ ଦେଇଥିଲେ । ତେବେ ଥଣ୍ଡା ପିଇସାରିବା ପରେ ନାବାଳିକା ଜଣଙ୍କ ସଂଜ୍ଞାହୀନ ହୋଇ ପଡିଥଲେ। ଯୁବକ ମାନେ ରାତିସାରା ନାବାଳିକାଙ୍କୁ କେଉଁଠି ରଖିବା ପରେ ରବିବାର ରାତି 4ଟା ବେଳେ ନାବାଳିକାଙ୍କୁ ତାଙ୍କ ଗାଁ ନିକଟରେ ଛାଡିଦେଇ ଯାଇଥିଲେ ।
ଏଥିନେଇ ନାବାଳିକାଙ୍କ ବାପା ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଥିଲେ। ମାତ୍ର ଫାଣ୍ଡି ଅଧିକାରୀ କିଛି ପଦକ୍ଷେପ ଗ୍ରହଣ ନକରିବାରୁ ମଙ୍ଗଳବାର ନାବାଳିକା ଝିଅ ସହ ବାପା ଓ ମାଆ ପଟ୍ଟାମୁଣ୍ଡାଇ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କ ନିକଟରେ ପୁନଃ ଅଭିଯୋଗ କରିଛନ୍ତି । ଅଭିଯୋଗର ତଥ୍ୟ ଆଧାରରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଭାରତୀୟ ପିଙ୍ଗଳ କୋର୍ଡର 336, 354, 328, 342, 294, 506, 34 ଓ 12 ପୋସ୍କୋ ଦଫାରେ ମାମଲା ଋଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ନାବାଳିକା ଜଣକ ଏପର୍ଯ୍ୟନ୍ତ ନିଶାଗ୍ରସ୍ତ ଥିବା ତାଙ୍କ ବାପା କହିଛନ୍ତି । ତେଣୁ ତାଙ୍କୁ ଦୁଷ୍କର୍ମ କରାଯାଇଛି କି ନାହିଁ ତାହା ସେ କହି ପାରୁନାହାନ୍ତି । ସେ ସୁସ୍ଥ ହେଲେ ତାଙ୍କୁ ଡାକ୍ତରୀ ପରୀକ୍ଷା କରାଯିବାପରେ ଦୁଷ୍କର୍ମ କଥା ଜଣାପଡିଲେ ମାମଲାରେ ଦଫା ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳିଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ