କେନ୍ଦ୍ରାପଡ଼ା: ଶୀତଋତୁର ଆଗମନ ସହ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥାରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନ ହୋଇଛି। ପ୍ରତ୍ୟେକ ବର୍ଷ ନଭେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ଗହିରମଥା ସାମୁଦ୍ରିକ କଇଁଛ ଅଭୟାରଣ୍ୟରେ ଏହି ବିରଳ କଇଁଛଙ୍କ ସମାଗମ ହୋଇଛି। ସୁଦୂର ଶ୍ରୀଲଙ୍କା ଓ ଜାଫନା ଉପକୂଳରୁ ଲକ୍ଷଲକ୍ଷ ଅଲିଭ ରିଡଲେ କଇଁଛ ନିଜ ବଂଶ ବିସ୍ତାର କରିବା ପାଇଁ ଅଣ୍ଡା ଦେବାକୁ ନାସୀ-2ର ବାବୁବାଲି ଦ୍ବୀପକୁ ଚାଲି ଆସନ୍ତି।
ଅଲିଭ ରିଡଲେ କଇଁଛ ମାନଙ୍କର ଏନ୍ତୁଡ଼ିଶାଳ ଭାବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି। ଏନ୍ତୁଡିଶାଳକୁ ଏହି ଦୁର୍ଲଭ ଜୀବ ଭୁଲିଯିବେ ବା କେମିତି? ବିଶ୍ବ ମାନଚିତ୍ରର ବିରଳ ଜୀବ ଏବେ କେନ୍ଦ୍ରାପଡାର ଗହୀରମଥା ମୁହାଁ । ପ୍ରତିବର୍ଷ ଲକ୍ଷଲକ୍ଷ ଅଲିଭ ରିଡଲେ କଇଁଛ ଏଠାରେ ଅଣ୍ଡା ଦେଇ ଫେରି ଯାଇଥାଆନ୍ତି। ସ୍ଫୋରାଟିକ ବା ଗୋଟିଗୋଟି ଅଣ୍ଡାଦାନ କରିଥିବା ଅଣ୍ଡାରୁ କଇଁଛ ଛୁଆ ବାହାରୁଥିବା ବେଳେ ସାମୁହିକ ବା ମାସ ନେଷ୍ଟିଂ କରିଥିବା କଇଁଛ ମାନଙ୍କ ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ବିଳମ୍ବ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଥାଏ । ଚଳିତବର୍ଷ ପାଗ ଅନୁକୂଳ ଥିବା ଯୋଗୁଁ ଅଣ୍ଡାଦାନ ପ୍ରକ୍ରିୟା ଅଧିକ ହେବାନେଇ ଆଶା କରାଯାଉଛି।
ଚଳିତ ବର୍ଷ ଅଲିଭ ରିଡଲେ ଅତିଥିଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରଶାସନ ଯେପରି ପର୍ଯ୍ୟାପ୍ତ ବ୍ୟବସ୍ଥା କରିନଥିବା ମନେ ହେଉଛି । ପ୍ରତ୍ୟେକ ବର୍ଷ କଇଁଛ ସୁରକ୍ଷା ପାଇଁ ବୋଟ ଚାଳନା ବନ୍ଦ କରାଯାଉଛି। ତେବେ ଏହି ସଚେତନତା ଲୋକ ଦେଖାଣିଆ ଭଳି ଜଣା ପଡ଼ୁଛି। ଟ୍ରଲର ମାଲିକମାନେ ଏହି ସଚେତନତାକୁ ମାନୁନାହାନ୍ତି। ଅଲିଭ ରିଡଲେଙ୍କ ପାଇଁ ଜିଲ୍ଲା ପ୍ରଶାସନର ଅଧିକ ପାଟ୍ରୋଲିଂ ବ୍ୟବସ୍ଥା ସହ ବନବିଭାଗର ଅଧିକ ଚଢ଼ାଉର ଆବଶ୍ୟକତା ଥିବା ସାଧାରଣରେ ଅଭିଯୋଗ ହୋଇଛି ।
ଚଳିତବର୍ଷ ମାର୍ଚ୍ଚ ମାସରେ କଇଁଛଙ୍କ ଅଣ୍ଡାଦାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶଂସିତ ହୋଇଥିଲା। ବର୍ତ୍ତମାନ ଅଣ୍ଡା ଦେବାକୁ ଆସିଥିବା ଏହି କଇଁଛ ମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଜଳବାୟୁର ପରିବର୍ତ୍ତନ ହିଁ ଅଲିଭ ରିଡଲେ କଇଁଛଙ୍କ ସଂଖ୍ୟାକୁ ଦ୍ବିଗୁଣିତ କରିଥାଏ। ତେବେ ବର୍ତ୍ତମାନ କଇଁଛଙ୍କ ଆଗମନପରେ ସୁରକ୍ଷା ବ୍ୟବସ୍ଥା କେତେ କଡ଼ାକଡ଼ି ହେବା ତାହାରି ଉପରେ ସଭିଙ୍କ ନଜର।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ